ଭୁବନେଶ୍ବର: ବିଏମସି (Bhubaneswar Municipal Corporation Election)ର ମେୟର ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମେୟର ପଦବୀ ମହିଳାବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି । ମେୟର ପଦ ପାଇଁ କିଛି ପ୍ରଭାବଶାଳୀ ନେତାଙ୍କ ଭିତରେ ବଳ କଷାକଷି ଆରମ୍ଭ ହୋଇଗଲାଣି । ଆଶାୟୀ ବହୁ ଯୁବ ଏବଂ ବରିଷ୍ଠ ନେତାମାନେ ଚଳ ଚଞ୍ଚଳ ହୋଇପଡିଛନ୍ତି । ପ୍ରଥମ ଥର ପାଇଁ ମହିଳାଙ୍କ ସଂରକ୍ଷଣ ରହିବ ପ୍ରକାଶ ପାଇବା ପରେ ମହିଳା ଆଶାୟୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।
ଦଳର ସୁପ୍ରିମୋଙ୍କ ନିକଟତମ ଭୁବନେଶ୍ବରର ବହୁ ବରିଷ୍ଠ ନେତାଙ୍କ ନିକଟରେ ଏଥିପାଇଁ ଗତ କିଛି ଦିନ ହେବ ଜୋରଦାର ଲବି ଚାଲିଥିଲା । ହଠାତ ସଂରକ୍ଷଣ ଖବର ଆସିବାପରେ ସେମାନଙ୍କ ମନ ଭାଙ୍ଗି ଯାଇଛି । ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ପୂର୍ବ ନିର୍ଦ୍ଧାରିତ ରଣ କୌଶଳ ବଦଳାଇବା ପାଇଁ କାରସାଦି ଚାଲିଥିବା ଚର୍ଚ୍ଚା ହୋଇଛି । ମେୟର ପଦ ପାଇଁ କିଛି ପ୍ରଭାବଶାଳୀ ନେତାଙ୍କ ଭିତରେ ବଳ କଷାକଷି ଚାଲିଛି । ସେପଟେ ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ଯେତେସବୁ ଯୋଜନା ଚାଲିଛି ସେସବୁକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ଏବଂ ସାଧାରଣରେ ମହିଳା ଭୋଟକୁ ହାତେଇବା ଲକ୍ଷ୍ୟରେ ସଂରକ୍ଷଣରେ କିଛି ଗୋଟି ଚାଳନା ହୋଇଥାଇ ପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି ।