ଭୁବନେଶ୍ବର:ବିଏମସିନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଭୁବନେଶ୍ବରରେ ମେୟର ପଦବୀ ପାଇଁ ଦାଖଲ ହୋଇଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ କାଏମ ରହିଛି । ସେହିଭଳି ବିଏମସିର ୬୭ଟି ଓ୍ବାର୍ଡ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୩୬୦ଜଣ କର୍ପୋରେଟର ପ୍ରାର୍ଥୀଙ୍କର ମଧ୍ୟ ନାମାଙ୍କନ ପତ୍ର ତନ୍ନତନ୍ନ କରି ଯାଞ୍ଚ କରାଯାଇଛି ।
BMC Election: ୧୨ ମେୟର ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ କାଏମ ଗୁରୁବାର ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ସହ ଜୋରଦାର ହେବ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ । ଏହାସହ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ପୌର ନିର୍ବାଚନ ପାଇଁ ୭ତାରିଖ ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ଦିନକ ପରେ ଅର୍ଥାତ୍ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି ।
ଯାଞ୍ଚ ପରେ ବର୍ତ୍ତମାନ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଯାଞ୍ଚ ସମୟରେ ମୁଖ୍ୟତଃ ପ୍ରାର୍ଥୀଙ୍କ ପକ୍ଷରୁ ଦୁଇଟି ସତ୍ୟପାଠ, ଫର୍ମର ରସିଦ ଓ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ ସେଗୁଡିକ ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ଥର ନିର୍ବାଚନ ପରିଚାଳନାରେ ନିରପେକ୍ଷତା ଅବଲମ୍ବନ କରାଯାଉଥିବା କହିଛନ୍ତି ଭୁବନେଶ୍ବର ବିଜେପି ସାଂଗଠନିକ ସଭାପତି ।
ସେପଟେ ନାମାଙ୍କନ ଯାଞ୍ଚ ପରେ ଜୋରଦାର ହୋଇଛି ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ । ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହିତ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ହାତରେ ଖୁବ୍ କମ୍ ସମୟ ଥିବାରୁ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି ମେୟର ପ୍ରାର୍ଥିନୀ । ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ପାର୍କରୁ ପାର୍କ ବୁଲି ପ୍ରାତଃଭ୍ରମଣ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି । ସେହିଭଳି ବସ୍ତିବହୁଳ ରାଜଧାନୀରେ ଲୋକଙ୍କ ପାଖରେ ଏତେ କମ୍ ସମୟରେ ପହଁଞ୍ଚିବା ସହ ସୋସିଆଲ ମିଡିଆକୁ ବାଟ କରି ଲୋକଙ୍କ ପାଖକୁ ଯିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି କଂଗ୍ରେସ । ତେବେ ଗୁରୁବାର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ୧୪ ତାରିଖ ମଧ୍ୟରେ ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରି ପାରିବେ । ସେହି ଦିନ ହିଁ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ