ଭୁବନେଶ୍ବର: ଶେଷ ହେଲା ଆକାଶ ପାଠକର ରିମାଣ୍ଡ ଅବଧି । 4 ଦିନ ପାଇଁ ଆକାଶକୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ। ଜେରା ବେଳେ ଆକାଶ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ସୂଚନା ମିଳିଛି। କିଭଳି ଭାବରେ ବିଭିନ୍ନ ଲୋକଙ୍କୁ ଟାଟାରେ ଚାକିରୀ କରାଇ ଦେବା ନାଁରେ ଟଙ୍କା ହଡ଼ପ କରିଥିଲା। ଏହାସହ ଆକାଶ ଅନ୍ୟାନ ଠକେଇ କରିବାକୁ କିଭଳି ବ୍ଲୁ-ପ୍ରିଣ୍ଟ କରିଥିଲା ସେନେଇ ପୋଲିସ ସାମ୍ନାରେ ସତ ଓଗଳିଥିବା ସୂଚନା ମିଳିଛି।
ଚାକିରୀ କରାଇ ଦେବା ନାଁରେ ବିତାଡ଼ିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ। ଏହାକୁ ନେଇ ଯାଞ୍ଚ ଜାରି ରଖିଛି ଇଡି। ଖାରବେଳନଗର ଥାନା ଅଞ୍ଚଳ ସ୍କାଏକିଙ୍ଗ ଠକେଇ ମାମଲାରେ ଆକାଶକୁ 4 ଦିନ ପାଇଁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ। ସୋମବାର ଆକାଶ ପାଠକକୁ କୋର୍ଟରେ ହାଜର କରାଯିବ।
ରିମାଣ୍ଡ ବେଳେ ବହୁ ତଥ୍ୟ ପଦାକୁ ଆସିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ଭୁବନେଶ୍ବର ଡିସିପି କହିଛନ୍ତି ଯେ, "ଖାରବେଳ ଥାନାରେ ରହିଥିବା ମାମଲାରେ ଆକାଶ ପାଠକକୁ ରିମାଣ୍ଡରେ ଅଣା ଯାଇଥିଲା। ଏନେଇ ତଦନ୍ତ ଜାରି ରହିଛି। ରିମାଣ୍ଡରେ ଆଣିବା ଉଦ୍ଦେଶ୍ୟ ଆମର ସଫଳ ହୋଇଛି। ଆକାଶ ବିରୋଧରେ ହୋଇଥିବା ମାମଲାର ତଦନ୍ତର ଅଗ୍ରଗତି ହୋଇଛି। "