ଭୁବନେଶ୍ବର: AIIMSର ଅଙ୍କୋଲୋଜି ବିଭାଗରେ ସ୍ବତନ୍ତ୍ର ଡେ କେୟାର ଏବଂ OPD ସେବା ଆରମ୍ଭ ହୋଇଛି । ଡେ କେୟାର୍ ସେବା ସବୁଦିନ ଜାରି ରହିବା ସହିତ କେବଳ ମଙ୍ଗଳବାର ଓ ଗୁରୁବାର ଦିନ ଏହି ଓପିଡି଼ ସେବା ପ୍ରଦାନ କରାଯିବ । କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ପରେ ସରକାରୀ କ୍ଷେତ୍ରରେ ରାଜ୍ୟର AIIMSରେ ରହିଛି ପ୍ରଥମ ମେଡିକାଲ୍ ଅଙ୍କୋଲୋଜି ୟୁନିଟ୍ । AIIMSର ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ହସ୍ପିଟାଲର ଜି ବ୍ଲକରେ ଅଙ୍କୋଲୋଜି ବିଭାଗର ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି଼ ସେବାକୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଡଃ.ସୌରଭ କୁମାର ମିଶ୍ର ଏବଂ ଡଃ.ଇଲାଭାରାସୀ ଭାନିଡାସାନେ ନୂତନ ଭାବେ ଯୋଗଦେଇ ମେଡିକାଲ୍ ଅଙ୍କୋଲୋଜି ସେବା ଆରମ୍ଭ କରିଛନ୍ତି । କର୍କଟ ରୋଗୀଙ୍କୁ କେମୋଥେରାପି ସେବା ପ୍ରଦାନ କ୍ଷେତ୍ରରେ AIIMSର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଠାରେ ଅଧିକ ଉତ୍ସାହ ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶକ ଡକ୍ଟର ତ୍ରିପାଠୀ କହିଛନ୍ତି । AIIMSରେ ପୂର୍ବରୁ ଅଙ୍କୋଲୋଜି ବିଭାଗ ହେମାଟୋଲୋଜି ବିଭାଗ ସହିତ ଏକକାଳୀନ ଓପିଡି଼ ଏବଂ ଡେ କେୟାର ସେବା ପ୍ରଦାନ କରୁଥିଲା ।