ଭୁବନେଶ୍ବର:ସାପକାମୁଡାରେ ମୃତ୍ୟୁ ସଂଖ୍ୟା ରାଜ୍ଯରେ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଏହାକୁ ପ୍ରତିହିତ କରିବା ଲାଗି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସି(AIIMS) ଭୁବନେଶ୍ବର କରିବ ଗବେଷଣା । ଭୁବନେଶ୍ୱର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହେବ ଗବେଷଣା । ସେହିପରି ପ୍ରାଥମିକ ଭାବେ ଅଧ୍ୟୟନରେ ସାମିଲ ହେବେ ୪ଶହ ପରିବାର । ସାପ କାମୁଡ଼ାରେ ରାଜ୍ୟରେ ବର୍ଷକୁ ୮ ଶହରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଛି । ଏଣୁ ରାଜ୍ୟରେ ସର୍ପ ଦଂଶନର ସମାଧାନ କରିବା ଲାଗି ଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି ।
ସେହିପରି ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ଲାଗି ତଥା ଏହାର ସମାଧାନ ପାଇଁ ଏମ୍ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ଖୁବ୍ଶୀଘ୍ର ଆରମ୍ଭ ହେବ । ଏଥିସହ ପ୍ରାଥମିକ ଭାବେ ଅଧ୍ୟୟନରେ ସାମିଲ ହେବେ ୪ଶହ ପରିବାର । ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ କରାଯିବାକୁ ଯୋଜନା ରହିଥିବା ଏମ୍ସ ଭୁବନେଶ୍ୱର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର୍ ତଥା ଏହି ଗବେଷଣାର ମୁଖ୍ୟ ଗବେଷକ ଡ. ସୁଦିପ୍ତ ରଞ୍ଜନ ସିଂ କହିଛନ୍ତି ।
ତେବେ ସାପ କାମୁଡ଼ାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଅଭ୍ୟାସ (କେଏପି)କୁ ନେଇ ଏହି ଅଧ୍ୟୟନ ଆଗକୁ ବଢ଼ିବ । ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ପରିବାରର ସଦସ୍ୟଙ୍କ ମଧ୍ୟରେ ସାପ କାମୁଡ଼ିବା ପରେ ପ୍ରାଥମିକ ଚିକିତ୍ସା, ଏହାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଏନେଇ ରହିଥିବା ପାରମ୍ପିକ ଅଭ୍ୟାସ ସମ୍ପର୍କରେ ଲୋକମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯିବ । ସ୍ନେକ୍ ହେଲ୍ପଲାଇନ୍ର ସ୍ବେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ଗବେଷଣା ହେବ ବୋଲି ଡ. ସିଂ ସୂଚନା ଦେଇଛନ୍ତି ।
ଏହି ସ୍ବେଚ୍ଛାସେବୀମାନେ ସାପ ଉଦ୍ଧାର କରୁଥିବା ପରିବାରର ସଦସ୍ୟଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ । କେଉଁ କେଉଁ ପ୍ରତିଷେଧକ ନେଲେ ସାପ ଘରକୁ ପଶିପାରିବ ନାହିଁ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପଦ୍ଧତି, ପ୍ରଚଳିତ ଗୁଣିଗାରେଡ଼ି ଭଳି ପୁରାତନ ପରମ୍ପରା, ସାପ କାମୁଡ଼ିବା ପରେ ମାନସିକ ସ୍ତରରେ ଆଚରଣ ଏବଂ ଘରୋଇ ପରିସରରେ ସାପର ଅନୁପ୍ରବେଶ, ପ୍ରଜନନ ଏବଂ କାମୁଡ଼ିବା ପାଇଁ ପ୍ରତିଷେଧକ ଅଭ୍ୟାସ ବିଷୟରେ ଅଧ୍ୟୟନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟିରେ ମଧ୍ୟ ଏହି ଗବେଷଣା କାର୍ଯ୍ୟ କରିବ । ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ ।