ଭୁବନେଶ୍ବର: ଚାଷ ଚାଲିଲେ ଚକ ଚାଲିବ । ଲକଡାଉନ ସମୟରେ କୃଷକଙ୍କ ପାଇଁ କଟକଣା ମୁକ୍ତ କରାଯାଇଛି। ସେମାନେ ବିନା କୌଣସି କଟକଣାରେ କାମ କରିପାରିବେ। ଏନେଇ ରାଜ୍ୟ ସରକାର ଆମ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ।
ଚାଷ ଚାଲିଲେ ଚକ ଚାଲିବ, କୃଷକଙ୍କ ପାଇଁ ‘ଆମ କୃଷି’ ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀମାନେ ସେମାନଙ୍କ ସମସ୍ୟା ଫୋନ କରି ଜଣାଇପାରିବେ । ଏଥିଲାଗି ନିଃଶୁକ୍ଳ ନମ୍ବର 18001025166 ଦିଆଯାଇଛି । ପ୍ରତି ସୋମବାରରୁ ଶନିବାର ଦିନ 12ଟାରୁ ରାତି 8ଟା ଯାଏଁ ଏହି ନମ୍ବର ଖୋଲା ରହିବ। 8ଟା ପରେ କେହି ଫୋନ ନଉଠାଇଲେ ଆପଣଙ୍କ ପ୍ରଶ୍ନ ରେକର୍ଡ ହୋଇଯିବ। ଏଥିପାଇଁ କୃଷକ ମାନେ ପଞ୍ଚିକରଣ କରିବେ ବୋଲି ସେ କହିଛନ୍ତି ।
ଏହାସହ ଜଳସେଚନ ପରି ସମସ୍ତ କାର୍ଯ୍ୟ ଉପରେ କୌଣସି କଟକଣା ନାହିଁ। କୃଷି ଉତ୍ପାଦିତ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ନାହିଁ। ବିହନ, ସାର, ବିଷ ଆଦି କିଣା ବିକା ପାଇଁ ସମସ୍ତ ଦୋକାନ ଖୋଲା ରହିବ। ସବୁ ଦୋକାନରେ ସାମାଜିକ ଦୂରତା ବଜାୟ ରଖି କାରବାର କରି ହେବ ।
କୃଷି ଯନ୍ତ୍ରପାତି ମରାମତି ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ଜିନିଷ ପାଇଁ କୃଷକ ମାନେ ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ସେଥିପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟରେ ରବି ଫସଲ 26.66 ଲକ୍ଷ ହେକ୍ଟରରେ ଚାଷ କରାଯାଇଛି। ବ୍ଲକ୍ ସ୍ତରରେ ଓ ପଞ୍ଚାୟତ ସ୍ତରରେ କୃଷି ପାଇଁ ସମସ୍ତ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ରାଜ୍ୟ ବିହନ ନିଗମ ଓ ଜାତୀୟ ବିହନ ନିଗମ ମଧ୍ୟ କୃଷି ଉପରେ ଅଧିକ ଗୁରୁତ୍ବ ଦେଇଛି ବୋଲି ସେ ଦର୍ଶାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ