ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ଋଣ ଦେବା ଉପରେ ସରକାରଙ୍କ ଗୁରୁତ୍ୱ । କୃଷି ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ ନେଇ ବ୍ୟାଙ୍କର୍ସଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକର ଅଧ୍ୟକ୍ଷତା କରି ଉଦ୍ୟୋଗୀଙ୍କୁ ଋଣ ଯୋଗାଇବା ଦିଗରେ ବ୍ୟାଙ୍କର୍ସଙ୍କ ସହ ଆଲୋଚନା କରିଛନ୍ତି ।
ଆଜି(ବୁଧବାର) ଭୁବନେଶ୍ୱର କୃଷି ଭବନରେ ଉଦ୍ୟୋଗୀଙ୍କୁ ସହଜରେ ଋଣ ଯୋଗାଇବା ଲକ୍ଷ ନେଇ କୃଷି ବିଭାଗ ପକ୍ଷରୁ ବ୍ୟାଙ୍କର୍ସମାନଙ୍କ ସହିତ ଆଲୋଚନା କରାଯାଇଛି । କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ସହ ଅନୁବନ୍ଧିତ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ସହ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗୀ ଯୋଜନାରେ କିପରି ଅଧିକ ଉଦ୍ୟୋଗୀ ବାହାରି ପାରିବେ ଓ କିପରି ଅଧିକ ଋଣ ଦିଆଯାଇ ପାରିବ ସେନେଇ ଆଲୋଚନା ହୋଇଛି । ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବରୁ କୃଷି ଉଦ୍ୟୋଗୀ ଯୋଜନାରେ ୬୨ ଉପାଦାନ ଥିବାବେଳେ ୯୨ କୁ ବୃଦ୍ଧି କରାଯାଇଛି । ଚାଷ କ୍ଷେତ୍ରରେ ଆଗ୍ରହୀ ଥିବା ଲୋକଙ୍କୁ ସହଜରେ ଋଣ ଯୋଗାଇଦେବାକୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି ।