ଭୁବନେଶ୍ବର :ଚଳିତ ଖରିଫ ଋତୁରେ ଚାଷୀମାନଙ୍କ ଚାହିଁବା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ବାଚିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ଵାରା ବିହନ ଯୋଗାଣ ସମ୍ପର୍କରେ ଭର୍ଚ୍ଚୁଆଲ ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସାହୁ ବିହନ ନିଗମ ଦ୍ଵାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେହି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ପାଣିପାଗ ଯୋଗୁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ, ସେ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ।
ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଚାଷୀମାନଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥି ପାଇଁ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବିହନ ଯୋଗାଣ ଦିଗରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ କହିଥିଲେ । ବିହନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।