ଭୁବନେଶ୍ବର: ବିଧାନସଭାରେ ଆଜି (ବୁଧବାର) ରାଜ୍ୟର ମରୁଡି ସ୍ଥିତିକୁ ନେଇ ବିରୋଧୀ, ରାଜ୍ୟ ସରକାରଙ୍କୁ ଘେରିବା ପରେ ବିଧାନସଭାରେ କୃଷି ମନ୍ତ୍ରୀ ଉତ୍ତର ରଖିଛନ୍ତି । କିନ୍ତୁ କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ଏହା ପରେ ବିଧାନସଭା ବାହାରେ ରାଜ୍ୟ ମରୁଡି ସ୍ଥିତିକୁ ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ରାଜ୍ୟରେ ଗତ 20 ବର୍ଷ ମଧ୍ୟରେ 8 ଥର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ବର୍ଷ ରାଜ୍ୟରେ ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଛି । 23 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ରାଜ୍ୟର ଆସନ୍ନ ମରୁଡି ସ୍ଥିତି ଦେଖି ରାଜ୍ୟ ସରକାର ଆକ୍ସନ ପ୍ଲାନ ହାତକୁ ନେଇଛନ୍ତି । ସମସ୍ତ ବିଭାଗର ସମନ୍ବୟରେ ମରୁଡି ପରିସ୍ଥିତି ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି । ଜରୁରୀକାଳୀନ ଚାଷ ଯୋଜନା ଅଧିନରେ ରାଜ୍ୟର ଆବଶ୍ୟକ ସ୍ଥାନରେ ଜଳସେଚନ ଏବଂ ଧାନ ସହିତ ଅଣଧାନ ଚାଷ ଉପରେ ଫୋକସ ରହିଛି ।