ଓଡିଶା

odisha

ETV Bharat / city

ପୁଣି ଓଡିଶାରେ ପୁଞ୍ଜି ନିବେଶ କରିବ କୋରିଆ କମ୍ପାନୀ - ମଜବୁତ ହେବ ରାଜ୍ୟ ଅର୍ଥନୀତି

ଓଡିଶାର ପ୍ରତିଟି କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ପୁଣି ଆଗ୍ରହ ଦେଖାଇଛି ଦକ୍ଷିଣ କୋରିଆର ବହୁ ନାମୀଦାମୀ କୋରିଆନ କମ୍ପାନୀ । ଏନେଇ 46 ଜଣ କାରଭାନ ଟିମ୍ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 23, 2019, 11:55 PM IST

Updated : Sep 24, 2019, 5:56 AM IST

ଭୁବନେଶ୍ବର: ଏଣିକି ରାଜ୍ୟରେ ସୃଷ୍ଟି ହେବ ନିଯୁକ୍ତିର ସୁଯୋଗ । ମଜବୁତ ହେବ ରାଜ୍ୟ ଅର୍ଥନୀତି ଏବଂ ବଢିବ ନିବେଶ । କାରଣ ଓଡିଶାର ପ୍ରତିଟି କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ପୁଣି ଆଗ୍ରହ ଦେଖାଇଛି ଦକ୍ଷିଣ କୋରିଆର ବହୁ ନାମୀଦାମୀ କୋରିଆନ କମ୍ପାନୀ । ସୋମବାର ଭୁବନେଶ୍ବରର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରିଆ ରାଷ୍ଟ୍ରଦୂତ ଶିନ ବଙ୍ଗ କିଲ ଓଡିଶାର ବିଭିନ୍ନ ସେକ୍ଟରରେ ପୁଞ୍ଜି ନିବେଶ ନେଇ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ବଙ୍ଗ କିଲ ଓଡ଼ିଶାରେ ପୁଞ୍ଜି ନିବେଶର ନୂତନ ସମ୍ଭାବନା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ସତ ହେଲେ ପୋସ୍କୋର ପୁରୁଣା ଦୁଃଖକୁ ବଖାଣି ବସିଥିଲେ । 12 ହଜାର ମିଲିଅନ ଡଲାରର ଏକ ସର୍ବବୃହତ ଷ୍ଟିଲ କମ୍ପାନୀ ପୋସ୍କୋର କିଭଳି ସ୍ବପ୍ନ ଅଧୁରା ରହିଗଲା ସେ ନେଇ ଦୁଃଖ ପ୍ରକାଶ କରିଥିଲେ କୋରିଆ ରାଷ୍ଟ୍ରଦୂତ । ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ, ମ୍ୟାନୁଫାକ୍ଚରିଙ୍ଗ, ଟେକ୍ସଟାଇଲ୍ସ, ପର୍ଯ୍ୟଟନ ତଥା ଡାଉନଷ୍ଟିଇମ ଶିଳ୍ପରେ ପୁଞ୍ଜିନିବେଶ କରିବ କୋରିଆନ କମ୍ପାନୀ ।

ବୃହତ କୋରିଆ ଇସ୍ପାତ କମ୍ପାନୀ ପୋସ୍କୋ ଫେରିଯିବା ପରେ ପୁଣି ଥରେ ପୁଞ୍ଜିନିବେଶ ନେଇ ସ୍ବପ୍ନ ଦେଖାଇବା ପରେ କୋରିଆ ଏବଂ ଓଡିଶା ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି । ଯାହା ରାଜ୍ୟ ସରକାରଙ୍କ ଭିଜନ 2030 ସମ୍ପୂର୍ଣ୍ଣ କରିବାରେ ସହଯୋଗ କରିବ ବୋଲି ଶିଳ୍ପ ବିଭାଗର ଅତିରିକ୍ତ ସଚିବ ନୀତିନ ଭାନୁଦାସ ଯାୱଲେ କହିଛନ୍ତି । ଏନେଇ 46 ଜଣ କାରଭାନ ଟିମ୍ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପୋସ୍କୋ ପ୍ରସଙ୍ଗରୁ ଶିକ୍ଷା ମିଳିଛି, 20ବର୍ଷର ଭୂଲକୁ ସ୍ବୀକାର କରି ଆଗକୁ ବଢିବାକୁ ହେବ ବୋଲି ରାଷ୍ଟ୍ରଦୂତ ବଙ୍ଗ କିଲ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ଚଳିତ ମାସ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କୋରିଆ କାରଭାନ କାର୍ଯ୍ୟକ୍ରମ ଅବସରରେ ଓଡିଶା ଗସ୍ତରେ ଆସିଛନ୍ତି ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ । ବ୍ୟବସାୟିକ ସମ୍ପର୍କକୁ କିଭଳି ଆଗକୁ ନିଆଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି କାରଭାନ ଟିମରେ ଏଲଜି, ସାମସଙ୍ଗ, ହ୍ୟୁଣ୍ଡାଇ, କିଆ ମୋଟର୍ସର ପ୍ରତିନିଧି ମାନେ ସାମିଲ ଅଛନ୍ତି । ରାଜ୍ୟ ସରକାର 'ଇଜ ଅଫ ଡୁଇଙ୍ଗ ବିଜିନେସ' ଆଧାରରେ ଶିଳ୍ପ ନେଇ ବୁଝାମଣା ପତ୍ର ସ୍ବାକ୍ଷର କରୁଛନ୍ତି । ଏପରିକି ବିଦେଶ ମାଟିରେ ବିଭିନ୍ନ ସମୟରେ ରୋଡ଼ ସୋ' ମଧ୍ୟ କରାଯାଉଛି । ତେବେ କୋରିଅନ କମ୍ପାନୀ ଓଡିଶାରେ ପୁଞ୍ଜିନିବେଶ କରି କେତେ ସଫଳତା ପାଇବ, ରାଜ୍ୟରେ ଶିଳ୍ପର କେତେ ଅଭିବୃଦ୍ଧି ଘଟିବ, ସତରେ କଣ ସାଧାରଣ ଲୋକଙ୍କ ପାଇଁ ରୋଜଗାରର ଅନୁକୂଳ ସମ୍ଭାବନା ସୃଷ୍ଟି ହେବ ତାହା ଆଗାମୀ ଦିନ ଜଣାପଡିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 24, 2019, 5:56 AM IST

ABOUT THE AUTHOR

...view details