ଭୁବନେଶ୍ବର: ଓଡିଶା ଗସ୍ତ ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ । ରମେଶଙ୍କ ଅଭିଯୋଗକୁ ବିଜେଡି ବିଜେପି ଖଣ୍ଡନ କରିବା ସହ ଉଭୟ ଦଳ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ।
ଜୟରାମ ରମେଶଙ୍କ କଟାକ୍ଷକୁ ନେଇ ଏବେ ଓଡିଶା ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଜୟରାମ ରମେଶ କଟାକ୍ଷ କରି କହିଥିଲେ, ନବୀନ ଓ ମୋଦି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । କେବଳ ଏତିକି ନୁହେଁ ମୋଦିଙ୍କ କଥାରେ ନବୀନ ବସ ଉଠ ହୁଅନ୍ତି । ଅର୍ଥାତ ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ନବୀନ ସବୁ କାମ କରନ୍ତି । ରମେଶଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବରିଷ୍ଠ ବିଜେପି ନେତା ରମା ରଞ୍ଜନ ବଳିୟାର ସିଂ କହିଛନ୍ତି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଉଭୟ ବଂଶବାଦ ରାଜନୀତି ଉପରେ ବିଶ୍ବାସ ରଖନ୍ତି । ଦୁର୍ନୀତିରେ ବୁଡି ରହିଛି କଂଗ୍ରେସ । ସାରାଦେଶରେ ଖଣ୍ଡ ବିଖଣ୍ଡିତ ହେବା କାରଣରୁ ଦଳ ଏବେ ଭାରତ ଯୋଡ ଯାତ୍ରା କରୁଛି । ତେଣୁ ବିଜେଡି ବିଜେପି ନୁହେଁ ବରଂ କଂଗ୍ରେସ ଓ ବିଜେଡି ଭିତରେ କିଛି ସମ୍ପର୍କ ରହିଛି ।