ଓଡିଶା

odisha

ETV Bharat / city

ତୁଟିଲା ଦାରୁଠେଙ୍ଗ ବିବାଦ, ଟିଟିଏସରୁ ଉଠିଲା ଅଳିଆ - ବିଏମସି କମିଶନର

ଦୀର୍ଘ ଦିନର ବାଦ ବିବାଦ ପରେ ଦାରୁଠେଙ୍ଗସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ । କାଲିର ବୈଠକରେ ନିଷ୍କର୍ଷ ବାହାରିବା ପରେ ସହରରୁ ଅଳିଆ ଉଠି ପାରିଛି । ଏନେଇ ଦାରୁଠେଙ୍ଗବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିଏମସି କମିଶନର ଓ ମେୟର । ଅଧିକ ପଢ଼ନ୍ତୁ

ତୁଟିଲା ଦାରୁଠେଙ୍ଗ ବିବାଦ, ଟିଟିଏସରୁ ଉଠିଲା ଅଳିଆ
ତୁଟିଲା ଦାରୁଠେଙ୍ଗ ବିବାଦ, ଟିଟିଏସରୁ ଉଠିଲା ଅଳିଆ

By

Published : Aug 31, 2022, 6:07 PM IST

ଭୁବନେଶ୍ବର: ବହୁ ବାଦ ବିବାଦ ପରେ ଗାଡକଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ । ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଦାବିକୁ ପ୍ରଶାସନ ମାନିନେବା ପରେ ଭୁଆଶୁଣି ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ । ତେବେ ଏନେଇ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ମେୟର ସୁଲୋଚନା ଦାସ ।

ତୁଟିଲା ଦାରୁଠେଙ୍ଗ ବିବାଦ, ଟିଟିଏସରୁ ଉଠିଲା ଅଳିଆ

ଦୀର୍ଘ ୨୦ ଦିନ ଧରି ଅଚଳ ପଡିଥିବା ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ବାଟ ଫିଟିଛି । ଗତକାଲି (ବୁଧବାର) ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏନେଇ ସମାଧାନ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଉତ୍ତର ବିଧାୟକ, ଦାରୁଠେଙ୍ଗ ସରପଞ୍ଚ ଓ ୨୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

ତେବେ ପୂର୍ବରୁ ଅଳିଆ ବିବାଦର ସମାଧାନ ପାଇଁ ବିଏମସି ଅଫିସରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ବୈଠକରେ ନିଷ୍କର୍ଷ ବାହାରି ପାରିନଥିଲା । ସମାଧାନ ପାଇଁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିଲେ ଦାରୁଠେଙ୍ଗବାସୀ । ୯ ମାସର ମହଲତ ମାଗିଥିଲା ବିଏମସି । ଡମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତଥାପି ବିବାଦର ସମାଧାନ ହୋଇନଥିଲା । ତେଣୁ ୨୦୦୮ରୁ ଲାଗି ରହିଥିବା ଏହି ବିବାଦର ଗତାକାଲି ବୈଠକରେ ସମାଧାନ ନେଇ ଆପୋଷ ବୁଝାମଣା ହୋଇଥିବା ପ୍ରକାଶ କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ, ମେୟର ଓ ଜଟଣୀ ବିଧାୟକ ।

ଏହାପରେ ଆଜି ଠାରୁ ଗାଡକଣସ୍ଥିତ ଟିଟିଏସରୁ ଟ୍ରକ ଯୋଗେ ଭୁଆଶୁଣି ଡମ୍ପିଂୟାର୍ଡକୁ ଅଳିଆ ସ୍ଥାନାନ୍ତର କରାଯାଉଛି । ଦୈନିକ ଦୁଇଶହ ଟ୍ରକରେ ଉଠିବ ଅଳିଆ । ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ । ଏବଂ ୯ ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ । ଭୁବନେଶ୍ବରରୁ ଦୈନିକ ନିର୍ଗତ ହେଉଥିବା ଅଳିଆକୁ ସହର ଭିତରେ MCC ଓ MRF ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ । ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କଣ ପଦକ୍ଷେପ ନେଉଛି ତାହାର ସମୀକ୍ଷା କରିବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ । ସେହିଭଳି ବିଏମସି କମିଶନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ସମନ୍ବୟ ବୈଠକ ବସିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details