ଭୁବନେଶ୍ବର: ଆଜିଠୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ୟୁଜି(ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଛି। ଦୀର୍ଘ 9 ମାସ ପରେ କଲେଜ ଖୋଲିଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । କୋଭିଡ ଗାଇଡ ଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆସିବେ । କ୍ୟାମ୍ପସରେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ ।
କ୍ୟାମ୍ପସ ଭିତରକୁ ପିଲାମାନେ ପ୍ରବେଶ କରିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ହାତରେ ସାନିଟାଇଜର ସହ ଦୂରତା ବଜାୟୀ ରଖିବେ । କ୍ଲାସ ରୁମ, ଲାଇବ୍ରେରି ମଧ୍ୟରେ 6 ଫୁଟର ସାମାଜିକ ଦୂରତା ରକ୍ଷା କରିବେ ଛାତ୍ରଛାତ୍ରୀ । ୟୁଜିର ମଧ୍ୟାହ୍ନ ସମୟରେ 1ଟା ସମୟରୁ କ୍ଲାସ ଆରମ୍ଭ ହେବା ପରେ ଦୁଇ ଘଣ୍ଟା ଅନ୍ତରାଳରେ 30 ମିନିଟ ପାଇଁ ବନ୍ଦ କରାଯିବ । ଏହି ସମୟରେ କ୍ଲାସରୁମ ଗୁଡିକୁ ସାନିଟାଇଜ କରାଯିବ । କ୍ଲାସରୁମ ରୁ ବାହାରି ସମୟରେ ଯେମିତି ପିଲାମାନେ ଏକାଠି ନ ହୁଅନ୍ତି ସେନେଇ ମଧ୍ୟ ଏକ ଟିମ ଗଠନ ହୋଇଛି ବୋଲି କମଳା ନେହେରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ ଚନ୍ଦ୍ର ରଥ କହିଛନ୍ତି ।ସେହିପରି କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି । ସ୍ବାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।