ଭୁବନେଶ୍ବର: ୨୦୧୭- ୧୮ ବର୍ଷରେ ମୟୂରଭଞ୍ଜ ଜିଲ୍ଲା କାପ୍ତିପଦା ତହସିଲ ଅଞ୍ଚଳରେ ଚକଡା ପୋକ ଦ୍ବାରା ଧାନ ଫସଲ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆର୍ଥିକ ସହାୟତା ଲାଗି ଚାଷୀ ମୟୂରଭଞ୍ଜ ଜିଲ୍ଲାପାଳ, କପ୍ତିପଦା ତହସିଲଦାର, କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଇନଥିଲେ ।
ସରକାରୀ ଉଦାସୀନତା ବା ଅବହେଳାକୁ ଦୃଷ୍ଟିରେ ରଖି କାପ୍ତିପଦା ଜୟ ଯବାନ, ଜୟ କିଷାନ କୃଷକ ସଂଘ ପକ୍ଷରୁ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ । ସଂପୃକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗର ଶୁଣାଣି କରି ଲୋକାୟୁକ୍ତ ସଂପୃକ୍ତ ତହସିଲଦାରଙ୍କ ରିପୋର୍ଟକୁ ଅନୁଧ୍ୟାନ କରି କୃଷକମାନଙ୍କର ଫସଲ କ୍ଷତିର ଭରଣା ପାଇଁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଜଣାଇବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ଲିଖିତ ଉତ୍ତରରେ ୭୩୬ ଜଣ କୃଷକ କ୍ଷତିଗ୍ରସ୍ତ ହୋଇଥିବା ସ୍ବୀକାର କରାଯାଇଥିଲା । ନିକଟରେ ଗତ ଜାନୁଆରୀ ୧୩ ତାରିଖରେ ଜିଲ୍ଲାପାଳ ମୟୂରଭଞ୍ଜ, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ କୃଷକମାନଙ୍କ କ୍ଷତି ଭରଣା ପାଇଁ ୧୯ ଲକ୍ଷ ୧୦ ହଜାର ୪୭୬ ଟଙ୍କାର ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ । ଲୋକାୟୁକ୍ତ ମଧ୍ୟ କୃଷକମାନଙ୍କର ଅଭିଯୋଗକୁ ବାସ୍ତବ ବୋଲି ଦର୍ଶାଇ ଏସଆରସିଙ୍କୁ ଉପରୋକ୍ତ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବାକୁ ସୁପାରିଶ କରିଥିଲେ ।