ଭୁବନେଶ୍ବର:ରେକର୍ଡ ଅଫ ରାଇଟସରେ ସାମିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି । ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।
ତେବେ ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ତହସିଲରେ ଜମି ମାଲିକଙ୍କ ଚୂଡାନ୍ତ ରେକର୍ଡ ଅଫ୍ ରାଇଟସ ତାଲିକା 1960 ଓ 1990 ରେ ହୋଇଥିବା ବନ୍ଦୋବସ୍ତରେ ପ୍ରକାଶ ପାଇଥିଲା । କିନ୍ତୁ ସେବେ ଠାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ଏହି ରେକର୍ଡ ଅଫ ରାଇଟସର ଦୁଇ ନମ୍ବର ସ୍ଥାନରେ ଏବେ ବି ପ୍ରକୃତ ଚାଷୀଙ୍କ ପୂର୍ବପୁରୁଷଙ୍କ ନାମ ରହିଛି । ଏନେଇ ପିଏମ କିଷାନ ଭଳି କଲ୍ୟାଣକାରୀ ଯୋଜନାର ଲାଭ ସେମାନେ ପାଇପାରୁନାହାନ୍ତି । ଏଥିଯୋଗୁଁ ପ୍ରକୃତ ଚାଷୀମାନେ ବ୍ୟାଙ୍କରୁ ସହଜରେ କୃଷି କିମ୍ବା ଅନ୍ୟାନ୍ୟ ଋଣ ପାଇବାରେ ସମସ୍ୟାରେ ପଡୁଛନ୍ତି । ଏହାଛଡା ଇ-ପାଉତି ପୋର୍ଟାଲ ଜରିଆରେ ରାଜସ୍ବ ସଂଗ୍ରହରେ ମଧ୍ୟ ସମସ୍ୟା ଉପୁଜୁଛି । ତେବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଓଡିଶା ଜମିଜମା ସଂସ୍କାର ଆଇନ 1960 ଓ 1965 ଧାରା ଅନୁଯାୟୀ ସହ ଅଂଶୀଦାରଙ୍କ ମଧ୍ୟରେ ପାରସ୍ପରିକ ସହମତି ଭିତ୍ତିରେ ଜମିକୁ ଭାଗ କରାଯାଇ ପାରିବ ।