ଭୁବନେଶ୍ବର: ଓଡ଼ିଆ ସିନେ ଜଗତ ଓ ଓଡ଼ିଶାବାସୀଙ୍କ ପାଇଁ ମିହିର ଦାସ ନାମ ହିଁ ଯଥେଷ୍ଟ । ନିଜ ଅଭିନୟର ପାରଦର୍ଶିତା ଯୋଗୁ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ତାଙ୍କୁ ନିଜ ପରିବାର ଲୋକ ବୋଲି ଭାବି ନେଇଥିଲେ । ନାୟକ ଚରିତ୍ରରୁ ଆରମ୍ଭ କରି ଖଳନାୟକ ପର୍ଯ୍ୟନ୍ତ ସବୁ ଚରିତ୍ରରେ କରି ପାରୁଥିଲେ ଜୀବନ୍ତ ଅଭିନୟ । ହେଲେ ସେ ଆଜି ଆମ ଗହଣରେ ନଥିବା ବେଳେ ରହିଯାଇଛି ତାଙ୍କର ଏକ ବଡ଼ ଅବଶୋଷ । ତାଙ୍କ ଅଭିନୀତ 'ମାଟିର ବନ୍ଧନ' ଫିଲ୍ମ ରିଲିଜ ହୋଇନପାରି ଆଇନ ଶିକୁଳିରେ ବାନ୍ଧି ହୋଇ ରହିଛି । ମିହିର ଏହି ଫିଲ୍ମର ରିଲିଜ ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତାଙ୍କ ଦେହାନ୍ତ ପରେ ଫିଲ୍ମଟିକୁ ରିଲିଜ ପାଇଁ କଳାକାର ଓ ସିନେପ୍ରେମୀ ଦାବି କରିଛନ୍ତି ।
ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ 'The trunk of Ganesha'ର କାହାଣୀକୁ ନେଇ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ‘ମାଟିର ବନ୍ଧନ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ନିଜର ସମସ୍ତ ଅଭିନୟ ଚାତୁରୀକୁ ପ୍ରଦର୍ଶନ କରିଥିଲେ ମିହିର । କଟକ ସହରର ପରିବେଶକୁ ସଠିକ ଭାବରେ ଏହି ସିନେମାରେ ପଦର୍ଶିତ କରାଯାଇଥିଲା । କଟକର ମୂର୍ତ୍ତି ଶିଳ୍ପୀଙ୍କ ଜୀବନକୁ ନେଇ ଏହି ସିନେମାଟି ଖୁବ ସୁନ୍ଦର ଭାବେ ତିଆରି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରି ପାରିନାହିଁ ।
ତେଣୁ ସିନେମାଟିକୁ ଲୋକଲୋଚନକୁ ଆଣିବା ପାଇଁ ମିହିର ସେହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କ ଦସ୍ତଖତ ନେଇ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । ଏହା ସହ ନିଜ ପ୍ରଚେଷ୍ଟାରେ ଏହାକୁ ଲୋକଲୋଚନକୁ ଆଣିବା ପାଇଁ କୋର୍ଟରେ ମକଦ୍ଦମା ମଧ୍ୟ ଲଢିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ରିଲିଜ ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଏକଦା ମିହିର ଦାସ କହିଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅଭିନୀତ ସିନେମା ହେଉଛି ‘ମାଟିର ବନ୍ଧନ’।