ଭୁବନେଶ୍ବର: ଦୁନିଆ ଦେଖେ ତାଙ୍କୁ ଭିନ୍ନ ଦୃଷ୍ଟିରେ । କାରଣ ସେମାନେ ସଭିଙ୍କ ଠାରୁ ଭିନ୍ନ । ସେମାନେ ଦିବ୍ୟାଙ୍ଗ । ଏମାନଙ୍କ ଦ୍ବାରା କୌଣସି ବି କାର୍ଯ୍ୟ ହୋଇ ପାରିବ ନାହିଁ। ଏମାନେ ସମାଜ ଉପରେ ଏକ ବୋଝ ବୋଲି ଭାବନ୍ତି ଅନେକ। ଅନେକେ ଏମାନଙ୍କ ଅବସ୍ଥା ଦେଖି ଲୋକ ଦେଖାଣିଆ ସାହାଯ୍ୟ ଓ ସହଯୋଗ ପାଇଁ ହାତ ବଢ଼ାଇଥାନ୍ତି। ହେଲେ ଏମାନେ ସେ ସବୁକୁ ଭ୍ରୁକ୍ଷେପ ନକରି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିବାକୁ ସର୍ବଦା ତତ୍ପର ହୋଇଥାନ୍ତି। ଆଉ ତାଙ୍କୁ ଏଥିରେ ଆଗକୁ ବଢିବାକୁ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଆ ଚଳଚିତ୍ର ଜଗତର ଆଗଧାଡ଼ିର ଅଭିନେତା ସବ୍ୟସାଚୀ ମିଶ୍ର।
ନିଜର ଏକ ଫିଲ୍ମ ପାଇଁ ଗୋଟିଏ ଚରିତ୍ର ଆବଶ୍ୟକତା ଥିବାରୁ ଏଥିପାଇଁ ସେ ଏକ ଅଡିସନ କରିଥିଲେ। ସେଥିରେ ସେ ସେହି ଚରିତ୍ର ସିନା ପାଇ ନଥିଲେ କିନ୍ତୁ 22ଜଣ ସୁପର ଟ୍ୟାଲେଣ୍ଟକୁ ଖୋଜି ପାଇଥିଲେ। ଆଉ ସେମାନଙ୍କ ଦକ୍ଷତାକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ସହ ତାଙ୍କର ପ୍ରତିଭାକୁ ପ୍ରମାଣିତ କରିବା ପାଇଁ ମଞ୍ଚ ପ୍ରଦାନ କରିବା ପାଇଁ ସ୍ଥିର କରିଥିଲେ। ଆଉ ସେହି ପିଲା ତାହାକୁ ପ୍ରମାଣିତ କରିଥିବାରୁ ବହୁତ ଖୁସିଥିବା କହିଛନ୍ତି ସବ୍ୟସାଚୀ।