ଭୁବନେଶ୍ବର: ଫାଲକନାମା ଏକ୍ସପ୍ରେସରେ ଛୁରାମାଡ ଘଟଣା । ଆକ୍ରମଣକାରୀକୁ ଗିରଫ କଲା ଆରପିଏଫ ପୋଲିସ । ଅଭିଯୁକ୍ତର ନାଁ ବିପିନ ଚନ୍ଦ୍ର ଦାସ ହୋଇଥିବାବେଳେ ସେ ଜଣେ ଚଣା ବ୍ୟବସାୟୀ ତଥା ହକର ବୋଲି ଜଣାପଡ଼ିଛି । ଗତ ୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରେ ଫାଲକାନାମା ଏକ୍ସପ୍ରେସରେ ଟ୍ରେନର ପ୍ୟାଣ୍ଟ୍ରି ମ୍ୟାନେଜର ଓ କର୍ମଚାରୀଙ୍କୁ ଛୁରାମାଡ କରିଥିଲା ।
ଚଣା ବିକ୍ରି ନେଇ ପ୍ୟାଣ୍ଟ୍ରି ମ୍ୟାନେଜରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ ଅଭିଯୁକ୍ତ ଜଣକ ନିଜ ସହଯୋଗୀ ଜରିଆରେ ଗତ ୫ତାରିଖରେ ପ୍ରଥମେ ଧମକ ଦେଇଥିଲା । ପରେ ୯ ତାରିଖରେ ଟ୍ରେନ ଭିତରେ ଆକ୍ରମଣ କରିଥିଲା । ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ଗାଳି ଗୁଲଜ କରିବା ସହ କାମରେ ବାଧା ଦେବା ଭଳି ଅଭିଯୋଗରେ ଭୁବନେଶ୍ଵର ଆରପିଏଫ ଟିମ ଗିରଫ କରିଛି ଅଭିଯୁକ୍ତକୁ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏନେଇ ଆରପିଏଫ ଆଇଆଇସି କହିଛନ୍ତି, " ଅଭିଯୁକ୍ତ ଜଣକ ଯୋଜନା ବଦ୍ଧ ଭାବେ ଆକ୍ରମଣ କରିଥିଲା । କେସ ନମ୍ବର 1249 ଦଫା ରେଲୱେ ଆକ୍ଟ 147(କ,ଖ,ଗ) 157, 153 ଏବଂ 141 ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ
ସୂଚନା ମୂତାବକ, ଚଣା ବିକିବା ନେଇ ହକରକୁ ବିରୋଧ କରିଥିଲେ ପ୍ୟାଣ୍ଟ୍ରି ମ୍ୟାନେଜର । ଏନେଇ ପ୍ୟାଣ୍ଟ୍ରି ମ୍ୟାନେଜର ଜଣକ ଆର୍ପିଏଫଙ୍କୁ କହି ଧରାଇ ଦେଇଥିଲେ । ଏହାକୁ ରାଗରଖି ପୁର୍ବରୁ କଟକରେ ପ୍ୟାଣ୍ଟ୍ରି ମ୍ୟାନେଜରଙ୍କୁ ସତର୍କ କରାଇଥିଲା । 9 ତାରିଖରେ ଭୁବନେଶ୍ବର ଷ୍ଟେସନର 4 ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଛାଡୁଥିବାବେଳେ ଅଭିଯୁକ୍ତ ପ୍ୟାଣ୍ଟ୍ରି ବଗିରେ ଚଢି ପ୍ୟାଣ୍ଟ୍ରି ମ୍ୟାନେଜରଙ୍କ ଉପରେ ଆକ୍ରମଣ କରିଥିଲା । ଏପରିକି ଛୁରୀରେ ମଧ୍ୟ ଆକ୍ରମଣ କରିଥିଲା । ଛୁରାମାଡ଼ରେ ଆହାତ ହୋଇଥିଲେ ସଂପୃକ୍ତ ପ୍ୟାଣ୍ଟ୍ରି ମ୍ୟାନେଜର ଜଣକ । ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ଚଳନ୍ତା ଟ୍ରେନରେ ପ୍ୟାଣ୍ଟ୍ରି ମ୍ୟାନେଜରଙ୍କୁ ଛୁରାମାଡ଼ କରି ଦୌଡି ପଳାଉଥିବାର ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ଯାଉଥିବା ଦେଖାଯାଇଛି । ପାରିପାର୍ଶ୍ବିକ ପ୍ରମାଣ ସାକ୍ଷୀଙ୍କ ବୟାନ ଆଧାରରେ ବିଭିନ୍ନ ସଙ୍ଗୀନ ଦଫାରେ ଆରପିଏଫ ଭୁବନେଶ୍ଵର ଟିମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଇଟିଭି ଭାରତ, ଭୁବନେଶ୍ବର