ଭୁବନେଶ୍ବର: 59 ହଜାର 387 ମାମଲାରେ ସରକାରୀ ତ୍ରୁଟି ଯୋଗୁଁ 2017-18ରେ 795.18 କୋଟିର କ୍ଷତି ସହିଛନ୍ତି ସରକାର । ଦ୍ରବ୍ୟର ଉପଯୁକ୍ତ ବର୍ଗୀକରଣ ନହେବାରୁ ଟିକସ ହରାଇଛନ୍ତି ସରକାର । 64.07 ଲକ୍ଷ ଟଙ୍କାର କର ଓ ଜୋରିମାନା ଆଦାୟ ହୋଇପାରିଲା ନାହିଁ । ସିଏଜି ରିପୋର୍ଟ ନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ପ୍ରେସମିଟରେ ଏ ନେଇ କୁହାଯାଇଛି ।
ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ଦ୍ଵାରା ଆଦାୟ ହୋଇଥିବା ରାଜସ୍ବର ପରିମାଣ ରାଜ୍ୟର ସମଗ୍ର ରାଜସ୍ବର 2016-17 ବର୍ଷରେ 41.58 ପ୍ରତିଶତରୁ 2017-18 ବର୍ଷରେ 42.60 ପ୍ରତିଶତକୁ ବୃଦ୍ଧି ଘଟିଥିଲା । ବ୍ୟୟ ନହୋଇ ମଧ୍ୟ 275.27 କୋଟି ଟଙ୍କା ମୂଲ୍ୟର ବିନିଯୋଗ ପ୍ରମାଣପତ୍ର ଭାରତ ସରକାରଙ୍କୁ ଦାଖଲ କରାଯାଇଛି । ଦାଖଲ ନଥିପତ୍ର ଯାଞ୍ଚରୁ ଜଣାଗଲା ଯେ , ଆରକେଭିୱାଇ ପାଣ୍ଠିରୁ 10.52 କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ରର ଦାଖଲ 2018 ମାର୍ଚ୍ଚ ସୁଦ୍ଧା ବାକି ରହିଥିଲା । ଯାହାକି ଓଡ଼ିଶା ସରକାରଙ୍କ ଦ୍ଵାରା ଭାରତ ସରକାରଙ୍କୁ ପ୍ରଦାନ କରାଯିବାର ଥିଲା । ସମୀକ୍ଷାରୁ ଜଣାପଡିଛି କି 385.79 କୋଟି ଟଙ୍କା ମୂଲ୍ୟର ଆର.କେ.ଭି.ୱାଇ ପାଣି ବ୍ୟବହାରକାରୀ ସଂସ୍ଥାମାନଙ୍କ ପାଖରେ ଖର୍ଚ୍ଚ ନ ହୋଇ ପଡ଼ିରହିଥିଲା । ଏହି ସବୁ ତଥ୍ୟରୁ ଜଣାଗଲା ଯେ , କୌଣସି ପ୍ରକୃତ ବ୍ୟୟ ନ ହୋଇଥିଲେ ମଧ୍ୟ 257.27 କୋଟି ଟଙ୍କା ମୂଲ୍ୟର ବିନିଯୋଗ ପ୍ରମାଣପତ୍ର ଭାରତ ସରକାରଙ୍କୁ ପ୍ରଦାନ କରାଯାଇଥିଲା |