ଭୁବନେଶ୍ବର: କୋରୋନା ସଚେତନତା କରାଇବାର ଅଭିନବ ପ୍ରୟାସ । ସାଇକେଲ ଉପରେ ସାଇକେଲ । ମୁଣ୍ଡରେ ତାଳପତ୍ରର ଝାମ୍ପି ଆଉ ତା ସାଙ୍ଗକୁ ମୁହଁରେ ମାସ୍କ । ଏଭଳି ଡବଲ ସାଇକେଲ ଚଲାଇ ଲୋକଙ୍କୁ ସଚେତନ କରାଉଛନ୍ତି ଭୁବନେଶ୍ବର ଡୁମଡୁମା ଅଞ୍ଚଳର ମନୋଜ ସୁନ୍ଦରରାୟ । ଏହି ଡବଲ ସାଇକେଲ ଚଲାଇ ରାଜଧାନୀବାସୀଙ୍କୁ କରୋନାର ସଚେତନତା ବାର୍ତ୍ତା ସହ ଗାନ୍ଧିଙ୍କର ଅହିଂସା ବାର୍ତ୍ତାକୁ ବାଣ୍ଟୁଛନ୍ତି ସେ । କୋରୋନା ମହାମାରୀ ସମୟରେ ଲୋକମାନେ ବହୁତ ହଇରାଣ ହୋଇଛନ୍ତି, ଏମିତିକି ଲକଡାଉନ , ସଟଡାଉନ ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଲୋକମାନେ ଚାଲି ଚାଲି ଏବଂ ସାଇକେଲ ଧରି ନିଜର ଜରୁରୀରେ କାମରେ ଯାଉଥିଲେ । ଏବେ କୋରୋନାର ଦ୍ବିତୀୟ ଲହରି ଆସିଲାଣି । ଯଦି ଲୋକମାନେ ଏବେ ସଚେତନ ନହେବେ ତେବେ କୋରୋନା ପୂର୍ବ ବର୍ଷ ଭଲି ମାଡି ଯିବ ବୋଲି ମନୋଜ କହିଛନ୍ତି ।
ସେ କହିବାନୁସାରେ ସାଧାରଣ ସାଇକେଲ କିମ୍ବା ଗାଡିରେ ଏପରି ସଚେତନତା ବାର୍ତ୍ତା ଦେଲେ କୌଣସି ଲୋକମାନେ ଧ୍ୟାନ ଦେବେ ନାହିଁ । ତେଣୁ ସେ ଚିନ୍ତା କଲେ ଦୁଇଟି ସାଇକେଲକୁ ମିଶାଇ ଡବଲ ସାଇକେଲ ତିଆରି କରି ସଚେତନ କରିବାକୁ ଆସିଲେ ଲୋକମାନେ ଏହାପ୍ରତି ଆକର୍ଷିତ ହେବେ । ମନୋଜ ପ୍ରତିଦିନ ନିଜ ନିତ୍ୟ ଜୀବନରୁ ସମୟ କାଢି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି । ଏହା ସହ ସେ ଟିକାକରଣକୁ ସମର୍ଥନ କରି ଲୋକମାନଙ୍କୁ ଟିକା ନେବା ପାଇଁ ପରାମର୍ଶ ଦେଉଛନ୍ତି । ‘ମୋ ମାସ୍କ ଆପଣଙ୍କୁ ସୁରକ୍ଷା ଦେବ ଏବଂ ଆପଣଙ୍କ ମାସ୍କ ମୋତେ’ , ‘ସବୁବେଳେ ମୁହଁରେ ମାସ୍କ ପିନ୍ଧନ୍ତୁ ଓ କୋରୋନା ଠାରୁ ଦୂରେଇ ରୁହନ୍ତୁ’ ଏହି ବାର୍ତ୍ତା ଲେଖି ସେ ଲୋକ ମାନଙ୍କୁ ସଚେତନ କରୁଛନ୍ତି । ଏହା ସହ ଗାନ୍ଧିଙ୍କର ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଗାନ୍ଧିଜୀଙ୍କ ପଥକୁ ଅନୁସରଣ କରି ଅହିଂସା ପଥକୁ ଆପଣାଇବା ପାଇଁ ଲୋକମାନଙ୍କୁ କହିଛନ୍ତି ।