ଭୁବନେଶ୍ବର:ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଚିକିତ୍ସାକୁ ଅଧିକ ସରଳ ଓ ସୁବିଧା କରିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ‘ସ୍ନେକ ହେଲ୍ପଲାଇନ’ ଆପ୍ ଓ ୱେବସାଇଟ ସେବା ଆରମ୍ଭ ହୋଇଛି । ଆଜି ଏହି ଆପ ଓ ୱେବସାଇଟର ଶୁଭାରମ୍ଭ କରିଛନ୍ତି ଏମ୍ସର ସଭାପତି ପ୍ରଫେସର ଡାକ୍ତର ସୁବ୍ରତ କୁମାର ଆଚାର୍ଯ୍ୟ । ଏହା ସମ୍ପୂର୍ଣ୍ଣ ଭାବରେ ଫରେନସିକ ମେଡିସିନ ବିଭାଗ ଅଧୀନରେ କାମ କରିବ।
www.snakehelpline.com ନାମରେ ଆରମ୍ଭ ହୋଇଥିବା ଏହି ୱେବସାଇଟରେ ସାପ କାମୁଡିବା ପରେ ଲକ୍ଷଣ ସହ ଏହାର ପ୍ରାଥମିକ ଚିକିତ୍ସା ଭଳି ସୂଚନା ଓ ସହାୟତା ରହିଛି । ରାଜ୍ୟରେ ସାପ କାମୁଡ଼ା ଏବଂ ଏହି ବିପଦକୁ ଦୂରେଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟର ସାପ-ଉଦ୍ଧାରକାରୀଙ୍କ ସାହାଯ୍ୟରେ ଏକ କର୍ମଶାଳା କରିବାକୁ ଲକ୍ଷ୍ୟ ରଖାଯାଇଛି । କର୍ମଶାଳା ଦ୍ବାରା ସାପ କାମୁଡ଼ିବା ପରେ ଡାକ୍ତରଖାନାରରେ ଉପଯୁକ୍ତ ପରିଚାଳନା ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦିଆଯାଇପାରିବ ।