ଭୁବନେଶ୍ବର: ଦେଶରେ ବିଭିନ୍ନ କାରଣରୁ ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଓଡ଼ିଶାରେ ମଧ୍ୟ ଅନେକ ଘଟଣା ଘଟିଛି । ଯାହା ଚିନ୍ତାଜନକ ହୋଇଥିବା ବେଳେ ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବ୍ରହ୍ମପୁର ଓ ଫୁଲବାଣୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂଆ ହସ୍ତୀ ସଂରକ୍ଷିତ ଅଭୟାରଣ୍ୟ କରିବା ନେଇ ଚିନ୍ତା କରୁଥିବା ସୂଚନା ମିଳିଛି ।
ଆଜି ଭୁବନେଶ୍ବର ଜୟଦେବ ଭବନ ଠାରେ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ଚିନ୍ତାପ୍ରକଟ କରିଛନ୍ତି । ବାରମ୍ବାର ହାତୀ ଜନବସତି ମୁହାଁ ହେଉଥିବା ଖବର ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି । ଯେଉଁଥିରେ ଉଭୟ ମଣିଷ ଓ ହାତୀ ମୃତାହତ ହେଉଥିବା ବେଳେ ବ୍ୟାପକ ମାତ୍ରାରେ ବାସପଯୋଗୀ ସମ୍ପଦ ମଧ୍ୟ ନଷ୍ଟ ହେଉଛି । ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିବା ସହିତ ଏହାର ନିରାକାରଣ ଦିଗରେ ଉଭୟ ସରକାର ଓ ଜନସାଧାରଣ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ।