ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ମର୍ଡର, ରଘୁନାଥ ନଗରରେ ମୋବାଇଲ ଦୋକାନୀକୁ ହତ୍ଯା - ରାଜଧାନୀରେ ହତ୍ୟା

06:30 August 30
ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ମର୍ଡର,ରଘୁନାଥ ନଗରରେ ମୋବାଇଲ ଦୋକାନୀକୁ ହତ୍ଯା
ଭୁବନେଶ୍ବର: ସାମାନ୍ଯ ବଚସାରୁ ବିଭତ୍ସ ହତ୍ୟାକାଣ୍ଡ । ରାଜଧାନୀରେ ଗଡିଲା ମୁଣ୍ଡ । ଖଣ୍ଡଗିରି ଥାନା ରଘୁନାଥ ନଗର ମନ୍ଦିର ନିକଟରେ ଘଟିଛି ଵିଭତ୍ସ ହତ୍ୟାକାଣ୍ଡ । ଜଣେ ମୋବାଇଲ ଦୋକାନୀକୁ ନିର୍ମମ ଭାବେ କରାଯାଇଛି ହତ୍ୟା । ମୃତ ଯୁବକ ହେଉଛନ୍ତି ୨୬ ବର୍ଷିୟ ସନାତନ ରାଉତରାୟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ସେପଟେ, ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, କୌଣସି ଏକ କଥାକୁ ନେଇ ମଦପିଇ ରାତିରେ ଗଣ୍ଡଗୋଳ କରିଥିଲେ ମୋବାଇଲ ଦୋକାନୀ ଓ ଦୁର୍ବୃତ୍ତ । ପରେ ସାମାନ୍ୟ ଗଣ୍ତଗୋଳ ନେଇଥିଲେ ଉଗ୍ରରୂପ । ଗଣ୍ତଗୋଳ ପରେ ରାତିରେ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ । କିନ୍ତୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସନାତନଙ୍କୁ ଘରୁ ଯାଇ ଡାକିଥିଲେ । ପରେ ଘର ସାମ୍ନାରେ ତାଙ୍କ ଛାତିରେ ଛୁରି ଭୁଷି ହତ୍ୟା କରିଥିଲେ । ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୬ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ