ଭୁବନେଶ୍ବର:କୋଭିଡ଼ ସଂକ୍ରମଣ ଯୋଗୁଁ ଲାଗିଥିବା କଟକଣା ଦୂର ହୋଇଛି । ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ ହେବ ଉତ୍କଳ ଦିବସ । ଉତ୍କଳ ଦିବସକୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଜାକଜମକର ସହ ପାଳନ କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି (ବୁଧବାର) ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ବସିଛି ।
ଉତ୍କଳ ଦିବସ ହେଉଛି ରାଜ୍ୟର ପ୍ରମୁଖ ସମାରୋହ । ଏହି କାର୍ଯ୍ୟକ୍ରମକୁ ଅତି ଆଡମ୍ବର ସହକାରେ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ପାଳନ କରିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ଉତ୍ସବ ଆୟୋଜନ ଲାଗି ଆକର୍ଷଣୀୟ ମଞ୍ଚ ନିର୍ମାଣ ସହିତ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯିବ ।