ଭୁବନେଶ୍ବର: ଯୁବପିଢିଙ୍କ ପାଇଁ ପ୍ରେମର ପରିଭାଷା ଅଲଗା । ଲଭ, ସେକ୍ସ, ଧୋକାରେ ବିଶ୍ବାସ କରନ୍ତି ଆଜିର ୟଙ୍ଗ ଜେନେରେସନ । ପାର୍କ ଯିବା, ବୁଲିବା, ଫୁଡ୍ କୋର୍ଟରେ ଖାଇବା, ମସ୍ତି କରିବା । ଏହା ହେଉଛି ଆଜିକାଲି ପ୍ରେମର ସଂଜ୍ଞା । କିନ୍ତୁ ଏହାକୁ ବଦଳାଇଛନ୍ତି ଭୁବନେଶ୍ବରର ଯୁବ ଦମ୍ପତ୍ତି । ପ୍ରେମର ଅର୍ଥ କେବଳ ଭଲ ପାଇବା ନୁହେଁ । ପରିସ୍ଥିତି ଯାହା ବି ହେଉ ଏକାଠି ରହିବା ଆଉ କିଛି କରିବା ହିଁ ହେଉଛି ପ୍ରେମ । ବୁଲାବୁଲିରେ ସମୟ ନଷ୍ଟ ନକରି ଏମାନେ ଆପଣାଇଛନ୍ତି ଏକ ପ୍ରଶଂସନୀୟ ପଦକ୍ଷେପ । ଆମେ କହୁଛୁ ଭୁବନେଶ୍ବରରେ ସେମିତି ଏକ ଲଭ୍ ବାର୍ଡସଙ୍କ ସମ୍ପର୍କରେ ।
ବାଲେଶ୍ଵରର ପୁଅ ସାଗର ମହାପାତ୍ର ଓ କଟକ ଝିଅ ଦିୱାନି ସାହୁ। ଦୀର୍ଘ ଚାରିବର୍ଷ ହେବ ଉଭୟଙ୍କ ମଧ୍ୟରେ ଗଢି ଉଠିଛି ପ୍ରେମ। ଭୁବନେଶ୍ୱରର ଏକ ସରକାରି ଇଞ୍ଜିନିୟରିଂ କଲେଜରେ ଦୁହେଁ ଏକାଠି ପଢନ୍ତି। ଆଉ ସ୍ମାର୍ଟସିଟିରେ ସ୍ବବାଲମ୍ବୀ ହେବା ପାଇଁ ଦୁହେଁ ମନ ବଳାଇବା ସହ ପଦକ୍ଷେପ ମଧ୍ୟ ନେଇଛନ୍ତି । ନିଜ ଚେଷ୍ଟା ବଳରେ ରାଜଧାନୀ ରାସ୍ତାକଡରେ ଖୋଲିଛନ୍ତି ଏକ ଛୋଟ ଫୁଡ଼ କୋର୍ଟ । ଆଉ ଏହାର ନାଁ ବି ରଖିଛନ୍ତି ପାସ୍ତା କର୍ଣ୍ଣର । ଉଭୟ ଭେଜ ଓ ନନଭେଜରେ ପାସ୍ତାର ବିଭିନ୍ନ ରେସିପି ଗ୍ରାହକଙ୍କୁ ଯୋଗାଇ ଦିଅନ୍ତି ଏହି ଲଭବାର୍ଡସ । ସେପଟେ ହାଇଜେନିକ୍ ଉପାୟରେ ଖାଦ୍ୟ ପରଷୁଥିବାରୁ ପାସ୍ତା କର୍ଣ୍ଣରରେ ଗ୍ରାହକଙ୍କ ଭିଡ ମଧ୍ୟ ଜମେ । ତେବେ ସବୁଠାରୁ ବଡ କଥା ହେଲା ଏହି ଖାଦ୍ୟକୁ ରାନ୍ଧୁଛନ୍ତି ଖୋଦ ଦିୱାନି ।