ଭୁବନେଶ୍ବର: ବର୍ଷାଦିନ ଯୋଗୁଁ ଘରେ ପଶୁଛନ୍ତି ସାପ। ପ୍ରତି ମୁହୁର୍ତରେ ଘରେ ଜଗି ରହୁଛି ମୃତ୍ୟୁର ଫାସ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗାଁରେ । ଗାଁର ଶରତ ପଣ୍ଡାଙ୍କ ବେଡ଼ ରୁମରେ ଏକ ସାପ ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପ ଲାଇନ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଆଉ ଉଦ୍ଧାର କରିଥିଲେ ୫ ଫୁଟର ନାଗ ସାପ।
ତେବେ ସୂଚନା ମୁତାବକ, ସୋମବାର ପ୍ରବଳ ବର୍ଷା ଯୋଗୁଁ ଶରତଙ୍କ ଘରେ ସାପ ଥିବାର ଖବର ପାଇଥିଲେସ୍ନେକ ହେଲ୍ପ ଲାଇନର ସଦସ୍ୟ । ପରେ, ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଶରତଙ୍କ ଘରେ ପହଞ୍ଚି ଢେର ଖୋଜାଖୋଜି କରିଥିଲେ । ହେଲେ, ସାପକୁ ପାଇ ନଥିଲେ । ଖଟ ତଳେ ଅନେକ ଜିନିଷପତ୍ର ଥିଲା, ସେ ସବୁ ତନ୍ନ ତନ୍ନ କରି ଖୋଜିବା ପରେ ମଧ୍ୟ ସାପର ପତ୍ତା ପାଇ ନଥିଲେ । କିନ୍ତୁ ସାପର ଶଦ୍ଦ ଶୁଣିବାକୁ ପାଇଥିଲେ । ଚାରିଆଡେ ଖୋଜାଖୋଜା ପରେ ବି ସାପର ମିଳିନଥିଲା କୌଣସି ଖୋଜ ଖବର । ତେବେ ସବୁ ଆଡୁ ନିରାଶ ହେବା ପରେ ଏକ ପୁରୁଣା ଟିଭି ଉପରେ ସନ୍ଦେହ ଘନୀଭୂତ ହେଲା । କାଳେ ସାପଟି ଟିଭି ଭିତରେ ଥାଇପାରେ ଭାବି, ଲଳିତ ଖଟ ଉପରେ ବସି ଟିଭିଟିକୁ ଖୋଲିବାକୁ ଉଦ୍ୟମ କଲା ବେଳେ ଖଟ କଣର ଗଦି ତଳେ କଣ ଗୋଟେ ହଲ୍ ଚଲ୍ ହେବା ଦେଖିଥିଲେ ।