ଭୁବନେଶ୍ବର: ୧୯୨୨ ମସିହାରେ ତତକାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ଵନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖଙ୍କ ଦ୍ଵାରା ଉପସ୍ଥାପିତ ତର୍କ - ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି । ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇଛି । ଏପରି ଗୁରୁତ୍ଵପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ । ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ ଦିଗଦର୍ଶନ ଦେବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାରୁ ବିଧାୟକମାନଙ୍କ ବିବରଣୀ ରହିଛି । ତତକାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା । ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ ଆସି ଏହି ତଥ୍ୟ ଖୋଜି ନପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ବିଧାନସଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେହିଦିନଠାରୁ ଏହି ନଥି ସଂଗ୍ରହଣ ଉଦ୍ୟମ ଜାରି ରହିଥିଲା । ୨୦୦୧ ମସିହାରେ ସାମ୍ବାଦିକ ଶ୍ରୀରାମ ଦାଶ ତତ୍କାଳୀନ ବିଧାନସଭା ବାଚସ୍ପତି ଶରତ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତତକାଳୀନ ସଚିବ ଜଗଦୀଶ୍ ପ୍ରସାଦ ଦାଶ ଜନୈକ କର୍ମଚାରୀ ରବି ନାରାୟଣ ମିଶ୍ରଙ୍କୁ ଏଥ ପାଇଁ ପାଟନା ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଲୋକସଭାର ତତ୍କାଳୀନ ବାଚସ୍ପତି ସ୍ଵର୍ଗତ ରବି ରାୟଙ୍କ ସହିତ ସାମ୍ବାଦିକ ଶ୍ରୀରାମ ଦାଶ ଯୋଗାଯୋଗ କରିଥିଲେ ମଧ୍ୟ ବିହାରରୁ କୌଣସି କାଗଜପତ୍ର ଆସିପାରିନଥିଲା । ୨୦୨୧ରେ ପୁନଶ୍ଚ ଓଡ଼ିଶା ବିଧାନସଭାର ତତକାଳୀନ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଏ ସଂପର୍କରେ ବିହାର ବିଧାନସଭା ସହ ଯୋଗାଯୋଗ କରିଥିଲେ । ବିଧାନସଭା ସଚିବ ନଥିପତ୍ର ସଂପର୍କରେ ବିହାର ବିଧାନସଭା ସଚିବଙ୍କୁ ଚିଠି ଲେଖିଥିଲେ ।