ଭୁବନେଶ୍ବର: କୋଭିଡ୍-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଦେଶବାସୀ ଏବେ ଭୟଭୀତ । ଲକ୍ଡାଉନ ଓ ସଟ୍ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । କିଏ ପୁଣି କୋରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଏକ ଖୁସିର ଖବର । ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲରେ କୋରୋନାକୁ ପରାସ୍ତ କରିଛନ୍ତି ଜଣେ ୯୮ ବର୍ଷିୟା ବୃଦ୍ଧା ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ବୃଦ୍ଧା ଜଣକ ଗତ ମେ ୫ ତାରିଖରେ କୋରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପୀଡିତ ଥିବାବେଳେ କୋରୋନା ସଂକ୍ରମିତ ହେବା ପରେ ସେ ଅସୁସ୍ଥ ହୋଇଥିଲେ ।
ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସମ୍ କୋଭିଡ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତ୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୁଳମଣି ବିଶ୍ୱାଳ କହିଛନ୍ତି ।