ଭୁବନେଶ୍ବର: ଦେଶ-ବିଦେଶ । ରାଜଧାନୀରୁ ଜାତୀୟ ପତାକା । କେଉଁ ଦେଶରେ କେଉଁ ମୁଦ୍ରା ପ୍ରଚଳନ । କମ୍ପ୍ୟୁଟରରେ ସର୍ଚ୍ଚ କଲା ଭଳି ଫଟାଫଟ ଦେଉଛି ଉତ୍ତର। ବିଶ୍ବ ଭୂଗୋଳରେ ରହିଛି ଅଗାଧ ପାଣ୍ଡିତ୍ୟ । ବୟସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର 6 ବର୍ଷର ପିଲାଟିଏ । ହେଲେ ଏତେ ବଡ ବିଶ୍ବକୁ ଯେମିତି ନିଜ ଛୋଟ ମୁଣ୍ଡ ଭିତରେ ଖଞ୍ଜି ରଖିଛି ଏହି ଅଦ୍ଭୁଦ ବାଳକ । କେତେକ ଦେଶର ଗୀତଗୁଡିକ ମଧ୍ୟ ମୁଖସ୍ତ କରିଛି । 195 ଟି ଦେଶର ରାଜଧାନୀ, ଦେଶର ମୁଦ୍ରା ଓ ଜନସଂଖ୍ୟା ସବୁକିଛି ରଖିଛି ନିଜ ଜିଭ ଆଗରେ । ଭୁବନେଶ୍ବର ଡମଣା ଅଞ୍ଚଳର ପ୍ରଶାନ୍ତ କୁମାର ସ୍ବାଇଁଙ୍କ ପୁଅ ପ୍ରତ୍ୟୁଷ । 3ୟ ଶ୍ରେଣୀରେ ପାଠ ପଢୁଥିବା ପ୍ରତ୍ୟୁଷଙ୍କ ଭୂଗୋଳ ପ୍ରତି ଅହେତୁକ ଦୁର୍ବଳତା ରହିଥିବାବେଳେ ଦେଶ ଦୁନିଆ କଥା ଜାଣିବା ପାଇଁ ତାଙ୍କୁ ସାହାଯ୍ୟ କରିଥାଏ ଟିଭି ଓ ୟୁଟ୍ୟୁବ ।
ପ୍ରତ୍ୟୁଷଙ୍କ ଭୂଗୋଳ ପ୍ରତି ଏଭଳି ଆକର୍ଷଣ ପରିବାର ଲୋକେ ଜାଣିନଥିଲେ । ପ୍ରତ୍ୟୁଷଙ୍କ ସାଙ୍ଗ 5 ଟି ଦେଶର ନାଁ ଓ ପତାକା ମନେ ରଖିଥିବା ଜାଣିବା ପର ଠାରୁ ତାଙ୍କ ମନରେ ମଧ୍ୟ ଜିଜ୍ଞାସା ସୃଷ୍ଟି ହୋଇଛି । ପାଠପଢା ସାରି ସବୁବେଳେ ଟିଭି ଦେଖି ଦେଶବିଦେଶ ଉପରେ ନଜର ରଖେ। ଲକଡାଉନ ସମୟର ମାତ୍ର 5 ମାସ ମଧ୍ୟରେ ସବୁ କିଛି ମନେ ରଖିପାରିଛନ୍ତି । ଏସବୁ ବିଷୟରେ ପରିବାର ଲୋକେ ଜାଣିବା ପରେ ପ୍ରତ୍ୟୁଷଙ୍କ ସ୍ମରଣଶକ୍ତି ଓ ଜାଣିବାର ଇଚ୍ଛାକୁ ପ୍ରତ୍ସୋହନ ଦେଇଆସୁଛନ୍ତି । ଏପରିକି ତାକୁ ନେଇ ଆଗାମୀ ଦିନରେ ଜାତୀୟ ସ୍ତରରେ ପହଞ୍ଚାଇବାକୁ ସ୍ବପ୍ନ ଦେଖୁଛନ୍ତି ପରିବାର ।