ଓଡିଶା

odisha

ETV Bharat / city

SLSWCA ଦ୍ଵାରା ୧୮୭୨.୧୧ କୋଟିର ୮ଟି ଶିଳ୍ପ ପ୍ରକଳ୍ପ ଅନୁମୋଦନ - bhubaneswar today news

ଓଡ଼ିଶାରେ ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି । ଆଜି(ସୋମବାର) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

SLSWCA ଦ୍ଵାରା ୧୮୭୨.୧୧ କୋଟିର ୮ଟି ଶିଳ୍ପ ପ୍ରକଳ୍ପ ଅନୁମୋଦନ
SLSWCA ଦ୍ଵାରା ୧୮୭୨.୧୧ କୋଟିର ୮ଟି ଶିଳ୍ପ ପ୍ରକଳ୍ପ ଅନୁମୋଦନ

By

Published : Nov 22, 2021, 8:40 PM IST

ଭୁବନେଶ୍ବର :ଓଡ଼ିଶାରେ ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି । ଆଜି(ସୋମବାର) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଛି । ୧୦୫ତମ ବୈଠକରେ ୧୮୭୨.୧୧ କୋଟି ମୂଲ୍ୟର ୮ ଟି ଶିଳ୍ପ ପ୍ରକଳ୍ପ ଅନୁମୋଦିତ ହୋଇଛି । ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ରହିଛି ୪ଟି ଇଥାନଲ୍ ପ୍ଲାଣ୍ଟ ଏବଂ ଏକ ମେକାନାଇଜଡ୍ ହ୍ୟାଚେରୀ । ପ୍ରକଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟରେ ୩,୪୬୧ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପୁଞ୍ଜି ବିନିଯୋଗ ପ୍ରସ୍ତାବଗୁଡ଼ିକର ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା । ପ୍ୟାନେଲ ଦ୍ୱାରା ଅନୁମୋଦିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପେଟ୍ରୋଲିୟମ, କୃଷି, ପଶୁପାଳନ, ଏବଂ ଡାଉନଷ୍ଟିମ ଉତ୍ପାଦନ । ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପ ସଚିବ । ଇପିକଲର ଏମଡି ଭୁପିନ୍ଦର ସିଂ ପୁନିଆ ପ୍ରକଳ୍ପର ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡିକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରକଳ୍ପକୁ ଅନୁମୋଦନ କରିବା ପୂର୍ବରୁ ଏହାର ନିର୍ମାଣ ଏବଂ କାର୍ଯ୍ୟକାରିତାର ତଦାରଖ କରିବା ଲାଗି ଇପିକଲକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ଅନୁମୋଦିତ ପ୍ରକଳ୍ପର ଶୀଘ୍ର ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ପାଇଁ କଞ୍ଚାମାଲ ଯୋଗାଇ ଦେବାକୁ କୃଷି ଏବଂ କୃଷକ ସଶକ୍ତିକରଣ ଏବଂ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗକୁ ସେ ଉଚିତ ପରାମର୍ଶ ଦେଇଛନ୍ତି । ଶିଳ୍ପଗୁଡ଼ିକର ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ରୂପେ ନିଷ୍କାସନ ଓ ପରିଚାଳନା ଲାଗି ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୂର୍ବ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ତ୍ୱରିତ ଉତ୍ପାଦନ ଆରମ୍ଭ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ଶିଳ୍ପ ପାଇଁ ଆବଶ୍ୟକ ଜମି ଏବଂ ଜଳର ବାସ୍ତବ ମୂଲ୍ୟାଙ୍କନ କରିବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଇପିକଲକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶିଳ୍ପାଞ୍ଚଳକୁ ଦିଆଯାଇଥିବା ଜମିର ଶତ ପ୍ରତିଶତ ଉପଯୋଗ ନିଶ୍ଚିତ କରିବାକୁ IDCOକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନୁମୋଦିତ ହୋଇଥିବା ପ୍ରକଳ୍ପ:-

ଯାଜପୁର କଳିଙ୍ଗ ନଗର ଇଣ୍ଡଷ୍ଟ୍ରିଆଲ୍ କମ୍ପ୍ଲେକ୍ସରେ ଜିନ୍ଦଲ କୋକ୍ ଲିମିଟେଡର କୋକ୍ ଏବଂ ପେଟ୍ରୋଲିୟମ ଉତ୍ପାଦ କାରଖାନାର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି । ୪୭୦ କୋଟି ଟଙ୍କା ବିନିଯୋଗରେ କାରଖାନାର ଉତ୍ପାଦନ କ୍ଷମତାକୁ 0.425 MTPA ରୁ 0.85 MTPA କୁ ଦ୍ୱିଗୁଣିତ କରିବ । ଯଦ୍ୱାରା ୨୭୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଯାଜପୁର କଳିଙ୍ଗ ନାଗରରେ ଶ୍ୟାମ ମେଟାଲିକ୍ସ ଏବଂ ଏନର୍ଜି ଲିମିଟେଡକୁ ଏକ 0.108 MTPA ଫେରୋ ଆଲୋୟ ପ୍ଲାଣ୍ଟ (3x18 MVA) ଏବଂ 50 ମେଗାୱାଟ ସିପିପି ଏବଂ ରେଲୱେ ସାଇଡିଙ୍ଗ ସ୍ଥାପିନ କରିବାକୁ ଅନୁମୋଦନ କରାଯାଇଛି । ଯାହା ୩୩୦ ରୁ ଅଧିକ ସମ୍ଭାବ୍ୟ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ।

କେନ୍ଦୁଝରର ରୋଏଡା-୨ ଖଣିରୁ ବାରବାଲି ପର୍ଯ୍ୟନ୍ତ ୧୦୪.୪୮ କୋଟି ବିନିଯୋଗରେ, ଜି.ଭି. ମାଇନ୍ସ ମିନେରାଲ୍ସ ଏବଂ ମେଟାଲ୍ସ ପ୍ରାଇଭେଟ ଲିମିଟେଡର ୯ କିଲୋମିଟର ଲମ୍ବା ଆଇରନ୍ ଓର ପାଇପ୍ କନଭେ ସିଷ୍ଟମ୍ । ଯାହାକି ୨୩୮ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି ।

ଅନୁମୋଦିତ ୪ଟି ଇଥାନଲ୍ ପ୍ଲାଣ୍ଟ ଏବଂ ମେକାନାଇଜଡ୍ ହ୍ୟାଚେରୀ

ବରଗଡ ଭେଡେନ ବ୍ଲକରେ ୨୫୦ କୋଟି ବିନିଯୋଗରେ ଗ୍ରୀନଟେକ ବାୟୋ ଏନର୍ଜୀ ଏଲ.ଏଲ.ପି ଦ୍ଵାରା ୨୦୦ KLPD ଇଥାନଲ୍ ସହିତ ୫ ମେଗାୱାଟ ଅଙ୍ଗାରକାମ୍ଳ ଉତ୍ପାଦନକାରୀ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଯାହାକି ୨୦୨ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ବାୟୋ ଏଗ୍ରୋ ଏନର୍ଜି ପ୍ରାଇଭେଟ ଦ୍ୱାରା ୨୨୮.୫୫ କୋଟି ବିନିଯୋଗରେ ୨୦୦ KLPD ଇଥାନଲ ସହିତ ୪.୫ ମେଗାୱାଟର ଉତ୍ପାଦନକାରୀ ପ୍ଲାଣ୍ଟ ସୋନପୁରର ବିନିକା ଠାରେ ସ୍ଥାପିତ ହେବ । ଯାହାକି ୩୩୭ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

କଳାହାଣ୍ଡିର ଜୁନାଗଡରେ ଇଣ୍ଡିଆନ୍ ପୋଟାଶ ଲିମିଟେଡ୍ ଦ୍ଵାରା ୨୧୯ କୋଟି ଟଙ୍କା ପୁଞ୍ଜି ନିବେଶରେ ୯୦ KLPD ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ ଏବଂ ୪ ମେଗାୱାଟ ସହ-ଉତ୍ପାଦନକାରୀ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପିତ ହେବ । ଯାହାକି ୨୩୮ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଝାରସୁଗୁଡାରେ ୨୦୫ କୋଟି ବିନିଯୋଗରେ 200 KLPD ୟୁନିଟ୍ କ୍ଷମତା ବିଶିଷ୍ଟ ଶସ୍ୟ-ଭିତ୍ତିକ ଇଥାନଲ ଉତ୍ପାଦନକାରୀ ଡିଷ୍ଟିଲରି ସହିତ ୬ ମେଗାୱାଟ ସହ-ଉତ୍ପାଦନକାରୀ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ । ଏହାକୁ ଏନର୍ଜି ଇଣ୍ଟ୍ରୋ ପ୍ରାଇଭେଟ ଲିମିଟେଡ୍ ଦ୍ଵାରା ସ୍ଥାପିତ ହେବ । ଯାହାକି ୧୯୬ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୬୬.୩୩ କୋଟି ଟଙ୍କା ବିନିମୟରେ ଏବିଶ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ୮୦୫.୧୧ ଲକ୍ଷ ୟୁନିଟ୍ ବାର୍ଷିକ କ୍ଷମତା ବିଶିଷ୍ଟ ଏକ ମେକାନାଇଜଡ୍ ହ୍ୟାଚେରୀ ୟୁନିଟ୍ ପ୍ରତିଷ୍ଠା ହେବ । ଯାହା ୧୬୫୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସବୁଜ ଏବଂ ବିକଳ୍ପ ଶକ୍ତି ଯୋଗାଇବା ବ୍ୟତୀତ, ଏହି ଇଥାନଲ ୟୁନିଟ୍ ଗୁଡିକ ସ୍ଥାନୀୟ ଶସ୍ୟ ଯେପରିକି ଚାଉଳ, ମକା ଆଦିକୁ ବ୍ୟବହାର କରି ରାଜ୍ୟର ସ୍ଥାନୀୟ ଚାଷୀଙ୍କୁ ଏକ ଭଲ ଆୟର ସୁଯୋଗ ଯୋଗାଇପାରିବ । ଓଡ଼ିଶା ସରକାର ଭାରୀ ଶିଳ୍ପ ସହିତ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଟେକ୍ସଟାଇଲ ଭଳି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାକୁ ଆଗ୍ରହୀ ଅଟନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details