ଭୁବନେଶ୍ବର: ରାଜ୍ୟରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ । ଅନ୍ତିମ ପର୍ଯ୍ୟାୟ ଭୋଟ ପାଇଁ ମୋଟ 25ଟି ଜିଲ୍ଲାର 48ଟି ବ୍ଳକର 975ଟି ଗ୍ରାମ ପଞ୍ଚାୟତରେ 131 ଜିଲ୍ଲା ପରିଷଦ ସଭ୍ୟ ପାଇଁ 13,514 ବୁଥରେ ନିର୍ବାଚନ ଶେଷ ହୋଇଅଛି । ଏଥିରେ ମୋଟ 41 ଲକ୍ଷ 55 ହଜାରରୁ ଅଧିକ ଭୋଟର ଥିବା ବେଳେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଅଛି ।
ସ୍ଥାନେସ୍ଥାନେ କାଁଭାଁ ହିଂସା ସହ ସରିଲା ମତଦାନ: ନିର୍ବାଚନ କମିଶନର ଏହାସହ ରାଜ୍ୟର କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଅଛି । ଏସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ସେବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଅଛି କହିଲେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।
ଚଳିତ ନିର୍ବାଚନରେ ମୋଟ 91,913 ବୁଥରେ 1,06,353 ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯେଉଁଥିରେ ମୋଟ 2 କୋଟି 89 ଲକ୍ଷ ଭୋଟର ମାନଙ୍କ ପାଇଁ ସୁରୁଖୁରୁରେ ଭୋଟ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା । ଏପଟେ ଚଳିତ ନିର୍ବାଚନରେ 36,523 ୱାର୍ଡମେମ୍ବର, 126 ସରପଞ୍ଚ, 326 ସମିତି ସଭ୍ୟ ଏବଂ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାୟ 2 ଲକ୍ଷ 20 ହଜାର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପାଖାପାଖି 40,000 ପୋଲିସ କର୍ମଚାରୀ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ନିର୍ବାଚନ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଛି ।
ନିର୍ବାଚନ କମିଶନର ଆହୁରି କହିଛନ୍ତି ଯେ, ଏହାସହ ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟରଙ୍କ ଅଂଶଗ୍ରହଣ ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ । ଆଜିର ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକ ଏବଂମାଲକାନଗିରି ଜିଲ୍ଲାର ଚିତ୍ରକୁଣ୍ଡାରେ (ସାଭିମାନ ଅଞ୍ଚଳରେ) ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବା ବେଶ ମହତ୍ଵପୂର୍ଣ୍ଣ । ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସେମାନଙ୍କ ପାଇଁ ଧାର୍ଯ୍ୟ Ex-gratia ସହାୟତା 15 ଲକ୍ଷ ଟଙ୍କା ପ୍ରତ୍ୟେକ ମୃତକଙ୍କ ପରିବାରକୁ ସହାୟତା ମିଳିବ । ସେହିପରି ଦୁର୍ଘଟଣାରେ ଆହତ ସମସ୍ତ ପୋଲିସ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କମାନା କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ପାଢୀ, ଇଟିଭି ଭାରତ