ଭୁବନେଶ୍ବର: ରାଜ୍ୟର ଅନ୍ୟତମ ତଥା ରାଜଧାନୀ ଭୁବନେଶ୍ବରର ବଡ ହାଟ କୁହାଯାଉଥିବା ହାଟ ହେଉଛି ୟୁନିଟ ୧ ହାଟ ବା ଏକ ନମ୍ବର ହାଟ । ୧୯୫୮ ମସିହାରେ ନିର୍ମାଣ ହୋଇଥିବା ଏହି ହାଟକୁ ୧୯୬୨ ରେ ସାଧାରଣ ପ୍ରଶାସନ ବିଭାଗ ନିଜ ହାତକୁ ନେଇଥିଲା । ବିଏମସି, ରାଜଧାନୀ ଦୈନିକ ହାଟ । ଏହି ହାଟର ରିମଡେଲିଙ୍ଗ ପାଇଁ ଦୀର୍ଘ ବର୍ଷ ହେବ ଏକାଧିକ ଯୋଜନା ପ୍ରସ୍ତୁତ ହୋଇଥିଲା । ଟେଣ୍ଡର ହେବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ମଧ୍ୟ ହୋଇସାରିଥିଲା ହେଲେ ସରକାରୀ ଉଦାସୀନତା ଯୋଗୁ ଦୀର୍ଘ ୭ ବର୍ଷ ହେବ ଆରମ୍ଭ ହୋଇ ପାରୁନି ଏକ ନମ୍ବର ହାଟର ନବୀକରଣ ।
ଏବେ ମଧ୍ୟ ୧୦୫ କୋଟିର ବ୍ୟୟବରାଦ ଆକଳନ ସରିଛି, ୨୦୧୬ ମସିହାରୁ ୩ ଏକର ଜମିରୁ ସରକାରୀ କ୍ୱାର୍ଟର ମଧ୍ୟ ଭଙ୍ଗା ସରିଛି, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମସି କୁ ୩ ଏକର ୮୭ ଡିସମିଲ ଜମି ମଧ୍ୟ ହସ୍ତାନ୍ତର ହୋଇସାରିଛି। ହେଲେ ଟେଣ୍ଡର ଡକା ହୋଇପାରିନି । କାରଣ ଟଙ୍କା କୋଉ ଆଧାରରୁ ଆସିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏବେବି ସେହି ସ୍ଥାନରେ କିଛି ଜବରଦଖଲ ମଧ୍ୟ ରହିଛି।
ଅପରିଷ୍କାର ପରିମଳ ବ୍ୟବସ୍ଥା ମଧ୍ୟରେ ଚାଲିଛି ଏକ ନମ୍ବର ହାଟ । ଲୋକଙ୍କ ଅଭିଯୋଗ ସରକାରୀ କାର୍ଯ୍ୟକ୍ରମ କେବଳ ଯୋଜନା ଭିତରେ ସୀମିତ ରହିଯାଉଛି । ଦୈନିକ ଏକ ନମ୍ବର ହାଟ କୁ ପ୍ରାୟ ୫୦,୦୦୦ ଲୋକେ ଯିବା ଆସିବା କରନ୍ତି। ହାଟ ଭିତରେ ଯଦିଓ ଶୌଚାଳୟ ସୁବିଧା ରହିଛି ହେଲେ ତାର ପରିମଳ ଅବସ୍ଥା ନକହିଲେ ଭଲ । ପାର୍କିଂ ଅବ୍ୟବସ୍ଥା ମଧ୍ୟ ଆଉ ଏକ ଉଦାହରଣ ।