ଓଡିଶା

odisha

By

Published : Jul 7, 2021, 10:51 PM IST

ETV Bharat / city

65 ହଜାର PVTG ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

65 ହଜାର PVTG ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା । ଆକାଉଣ୍ଟକୁ ଗଲା 5 ହଜାର ଟଙ୍କା । ଅଧିକ ପଢ଼ନ୍ତୁ...

cm assistance to 65000 PVTG families,  special covid assistance, Chief Minister naveen pattanik, ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା, 65 ହଜାର PVTG ପରିବାର
65 ହଜାର PVTG ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ସହାୟତା ରାଶି ପ୍ରଦାନ କରିଛନ୍ତି । ୫୦୦୦ ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ଯାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।

65 ହଜାର PVTG ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ”ମୁଁ ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ଯାଣ ପାଇଁ ସରକାର କାମ କରୁଛି ।’’

ରାଜ୍ୟରେ ସମୁଦାୟ ୧୬୭୯ ଟି PVTG ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟୀକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । PVTG ଜନଜାତିଙ୍କ ମଧ୍ୟରୁ 314 ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନହାନି ହୋଇନାହିଁ । PVTG ଗାଁ ମାନଙ୍କରେ 18ଟି ଆମ୍ବୁଲାନ୍ସ ସହିତ କୋଭିଡ ପରିଚାଳନାକୁ ତ୍ବରାନ୍ବିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, “ମୁଁ ବହୁତ ଖୁସି ଯେ ଆଜି ଆପଣଙ୍କ ବ୍ୟାଙ୍କ ଖାତାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ୫୦୦୦ ଟଙ୍କା ଜମା କରାଗଲା । ରାଜ୍ୟର ସବୁ PVTG ଜନଜାତି ଗାଁର ସବୁ ପରିବାର ଏହି ସହାୟତା ପାଇବେ । ଆମର PVTG ଜନଜାତି ଭାଇ ଭଉଣୀଙ୍କ ମଧ୍ୟରୁ ୩୦୦ ରୁ ଅଧିକ ଲୋକ କାରୋନାରେ ପୀଡିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର ରାସନ କିଟ ଦିଆଯାଇଥିଲା । ତା ସହିତ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଅଯାଇଥିଲା ।’’

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର PVTG ପରିବାର ସହିତ ଆଲୋଚନା କରିଛନ୍ତି । ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେ ଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କ ଠାରୁ ଉତ୍ତମ ସେବା ପାଉଛନ୍ତି ବୋଲି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଟୀକା ନେଇଛନ୍ତି କି ନାହିଁ ପଚାରି ବୁଝିଛନ୍ତି । ସେମାନେ ସମସ୍ତେ ଟୀକା ନେଇଛନ୍ତି ବୋଲି କହିଛନ୍ତି ।ସମସ୍ତେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କରୋନା ବିଷୟରେ ଆମେ ବିଶେଷ କିଛି ଜାଣି ନାହୁଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ । ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ଓ ଭିଡରୁ ଦୂରରେ ରହିଲେ କାରୋନା ଆମଠାରୁ ଦୂରେଇଯିବ । ତା ସହିତ ସମସ୍ତଙ୍କ ପାଇଁ ଦୁଇ ଡ଼ୋଜ ଟୀକା ଖୁବ ଜରୁରୀ । ସେମାନଙ୍କ ମଧ୍ୟରୁ ଅନେକ ଜଣ ଟୀକା ନେଲେଣି ଜାଣି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ଏହା ସହିତ ସମସ୍ତେ ଟୀକା ନିଅନ୍ତୁ, ନିଜ ପରିବାର ଓ ବନ୍ଧୁ ସମସ୍ତଙ୍କୁ ଟୀକା ନେବାକୁ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଛି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଆଲୋକପାତ କରିଛନ୍ତି । କୋଭିଡ ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ଵ ଯୋଗୁଁ ରାଜ୍ୟର ଛବି ଉଜ୍ଜ୍ଵଳ ହୋଇଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିବାବେଳେ ଜନଜାତି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details