ଭୁବନେଶ୍ବର:ବର୍ତ୍ତମାନ ସମୟରେ ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି । ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି । ତେବେ ଜ୍ୟ ସରକାର ଏବେ 5T ଉପକ୍ରମ ଆଧାରରେ ଜନସାଧାରଣଙ୍କୁ ତ୍ବରିତ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । 5T ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ । ଏଥିସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କର ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା’ ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହା କହିଛନ୍ତି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ(Information and Public Relations Department, Government of Odisha) ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ।
ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଭୂବନେଶ୍ବର ସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଆୟୋଜିତ ହେଉଛି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହାକୁ ଉଦ୍ଘାଟନ କରି ବିଭାଗର ପ୍ରମୁଖ ଶାସନ ସଚିବ ଏହା କହିଛନ୍ତି । ସେ କହିଛନ୍ତି ଯେ, "ଶିଖିବାର କୌଣସି ବୟସ ସୀମା ନାହିଁ । କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ଘଟିବ । ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପ୍ରଚାର ପ୍ରସାର ଦିଗରେ ସେମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିପାରିବେ ବୋଲି ସେ କହିଛନ୍ତି । ଏଥିସହିତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରତିବର୍ଷ ପ୍ରଶିକ୍ଷଣ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ସମେତ ଅନ୍ୟ ରାଜ୍ୟରେ ଥିବା ସୂଚନା ଓ ପ୍ରସାରଣ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଷ୍ଟଡି ଟୁର ବା ଶୈକ୍ଷିକ ଭ୍ରମଣ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ସେହିପରି ବିଭାଗର ସୂଚନା ଅଧିକାରୀ, କ୍ୟାମେରାମ୍ୟାନ, ଫଟୋଗ୍ରାଫର ଆଦିଙ୍କୁ ବିଜୁ ପଟ୍ଟନାୟକ ଚଳଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ଦିଆଯିବା ନେଇ ସେ ଗୁରୁତ୍ବାରୋପ କରିଛନ୍ତି ।"
ଅନ୍ୟପଟେ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି ଯେ, "ଇତିମଧ୍ୟରେ ସୂଚନା ସେବା ଅଧିକାରୀମାନଙ୍କ କ୍ୟାଡର ପୁନର୍ଗଠନ କରାଯାଇଛି । କେତେକ ଅଧିକାରୀ ପଦନ୍ନୋତି ପାଇଛନ୍ତି । ଆୟୋଜିତ ଏହି ପ୍ରଶିକ୍ଷଣ, ବିଭାଗୀୟ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିତ୍ତୀୟ ଶୃଙ୍ଖଳା ଅନୁପାଳନ ପୂର୍ବକ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିବାରେ ସହାୟକ ହେବ ।" ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନର ପାଠ୍ୟକ୍ରମ ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶିକା ଚିରସ୍ମିତା ସାହୁ, ଅବସରପ୍ରାପ୍ତ ବିତ୍ତ ଅଧିକାରୀ ଶରତ ଚନ୍ଦ୍ର ରାୟ, ରାଜ୍ୟ କୋଷାକାର ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦୀପକ ରଞ୍ଜନ ଚୌଧୁରୀ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।