ଓଡିଶା

odisha

By

Published : Nov 12, 2021, 6:55 PM IST

ETV Bharat / city

୨୩ ଜିଲ୍ଲାରେ ୫୫ଟି ଜଳାଶୟ ପ୍ରଦୂଷିତ; ଆକ୍ସନ ପ୍ଲାନ ପାଇଁ ବିଭାଗୀୟ ସଚିବଙ୍କ ଚିଠି

ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳାଶୟ ପ୍ରଦୂଷିତ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ପ୍ରଦୂଷଣର ପ୍ରକୃତ କାରଣ ଖୋଜିବା ସହିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

୨୩ ଜିଲ୍ଲାରେ ୫୫ଟି ଜଳାଶୟ ପ୍ରଦୂଷିତ; ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗ ସଚିବ
୨୩ ଜିଲ୍ଲାରେ ୫୫ଟି ଜଳାଶୟ ପ୍ରଦୂଷିତ; ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗ ସଚିବ

ଭୁବନେଶ୍ବର: ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳାଶୟ ପ୍ରଦୂଷିତ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ପ୍ରଦୂଷଣର ପ୍ରକୃତ କାରଣ ଖୋଜିବା ସହିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ।

ରାଜ୍ୟର ବିଭିନ୍ନ ଭାଗରେ ଥିବା ଛୋଟ ବଡ ଜଳାଶୟର ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ପ୍ରଦୂଷିତ ୫୫ ଟି ଜଳାଶୟ ଚିହ୍ନଟ କରାଯାଇଛି । ଏହି ତାଲିକାରେ ପୋଖରୀଠାରୁ ଆରମ୍ଭ କରି ବଡ ବଡ ଜଳ ଭଣ୍ଡାର ଏବଂ ହ୍ରଦ ରହିଛି । ବିଶେଷ କରି ପ୍ରଦୂଷିତ ଚିହ୍ନଟ ହୋଇଥିବା ଜଳାଶୟ ମଧ୍ୟରେ କଟକ ଜିଲ୍ଲା ବାଙ୍କୀର ଅଂଶୁପା ଓ ଏସ୍ତିଆ ପଟା, ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦ ଓ ଦାହା, ଖୋର୍ଦ୍ଧାର କାଞ୍ଜିଆ ହ୍ରଦ ଏବଂ ପୁରୀର ଚିଲିକା ହ୍ରଦ ମଧ୍ୟ ରହିଛି । ଏଗୁଡିକରେ ପ୍ରଦୁଷଣ ମାତ୍ରା ବଢିବା ପରିବେଷ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଛି । ଏହା ସହ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ପ୍ରତି ମଧ୍ୟ ବିପଦ ବଢାଉଛି । ଏନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

୨୩ ଜିଲ୍ଲାରେ ୫୫ଟି ଜଳାଶୟ ପ୍ରଦୂଷିତ; ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗ ସଚିବ
ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଚିଠିରେ ଦର୍ଶାଇଛନ୍ତି ଯେ, ଏହି ୫୫ ଟି ଜଳାଶୟ ମଧ୍ୟରୁ ୧୪ ଟି ଜଳ ସମ୍ପଦ ବିଭାଗ ଅଧିନରେ ରହିଛି । ଏହି ଜଳାଶୟଗୁଡିକୁ ବ୍ୟକ୍ତିଗତ ଭାବେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ଲାଗି ଦାୟିତ୍ବରେ ଥିବା ମୁଖ୍ୟ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଜଳାଶୟଗୁଡିକର ପୁନରୁଦ୍ଧାର, ଜଳ ଉତ୍ସ ଏବଂ ମାନ, ପ୍ରଦୂଷଣର କାରଣ, ବ୍ୟବହାର ଇତ୍ୟାଦି ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏଥିଲାଗି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁଗୁଳ, ବାଲେଶ୍ବର, ବରଗଡ, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ, ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।ତେଣୁ ଏହି ସବୁ ଜଳାଶୟର ପ୍ରଦୂଷଣ କାରଣ ଖୋଜିବା ସହ ଏହାକୁ ବିଶୁଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ଜଳ ସମ୍ପଦ ବିଭାଗ ପକ୍ଷରୁ ୨୩ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ୬ଟି ବିଭାଗକୁ ଚିଠି ଲେଖା ଯାଇଛି । ସେହିଭଳି ଏହି ୫୫ଟି ଜଳାଶୟ ମଧ୍ୟରୁ ଅନ୍ୟ ୪୧ଟି ବିଭିନ୍ନ ବିଭାଗ ଅଧିନରେ ରହିଛି । ପରିବେଶ ସୁରକ୍ଷା ସମ୍ପର୍କିତ ସମସ୍ୟା ହୋଇଥିବାରୁ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି । ଏପରିକି ପ୍ରତି ଜଳାଶୟ ପାଇଁ ପୃଥକ ପୃଥକ ଆକ୍ସନ ପ୍ଲାନ ପ୍ରଦାନ କରିବା ପାଇଁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details