ଭୁବନେଶ୍ବର: ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ୧୭ ଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୪୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୬ଗୋଟି ଲୋକସଭା ଆସନ ପାଇଁ ସର୍ବମୋଟ ୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିଭଳି ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୯୫୬ ଗୋଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୪୧୦୩୯ ଜଣଙ୍କୁ ଅଟକ ରଖାଯାଇଛି । ୪୭୪୪ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି।
ଲାଇସେନ୍ସ ନଥିବା ୧୯୮ଟି ଅସ୍ତ୍ରଶସ୍ତ୍ର ଏବଂ ୧୨୩୦.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୦୨୬୧୮.୬୨ ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୧୬ ଲକ୍ଷ ୯୭ ହଜାର ୩୬୯ ଟଙ୍କା । ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍ ଏବଂ ପୋଲିସ୍ ଦ୍ୱାରା ୧ କୋଟି ୯୬ ଲକ୍ଷ ୮୧ ହଜାର ୨୦୦ ଟଙ୍କା ଜବତ କରାଯାଇଛି ।
ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୨୭ ଲକ୍ଷ ୫୫ ହଜାର ୬୧୦ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୨ ଲକ୍ଷ ୪୧ ହଜାର ୯୭୭ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୫୯୮ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସି-ଭିଜିଲ୍ ଆପ୍ ମାଧ୍ୟମରେ ୭୧୯ ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥି ମଧ୍ୟରୁ ୬୧୪ଟି ଅଭିଯୋଗର ସମାଧାନ କରାଯାଇଛି।