ଭୁବନେଶ୍ବର: ଆମେ ଦିବ୍ୟାଙ୍ଗ ବୋଲି ଠକିଦେଲେ ସରକାର ! ୪ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡେ ଦେବେ କହି ଏଯାଏଁ କିଛି କରିଲେନି । ଯାହାକୁ ନେଇ ଭଙ୍ଗା ଘରେ ମଶା, ଡାଆଁସ ବଣରେ ପଡ଼ିରହି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ୪ ଦିବ୍ୟାଙ୍ଗ ପରିବାର । କେଉଁ ଉପାନ୍ତ ଅଞ୍ଚଳରେ ନୁହଁ ଭୁବନେଶ୍ୱର ଛାତି ଉପରେ ରହି ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ଭୁବନେଶ୍ୱର ସତ୍ୟନଗର ନବୀନ ବସ୍ତିରେ ଥିବା ୪ ଦୃଷ୍ଟିହୀନ ପରିବାର ।
କାହା ଘର ଭାଙ୍ଗିଯାଇଛି ତ ଆଉ କିଏ ଭଙ୍ଗା ଘରେ ନଡ଼ା ପକାଇ ରହୁଛି। ଖାଲି ସେତିକି ନୁହେଁ ଏହି ଭଙ୍ଗା ଘରେ ଅସରାଏ ବର୍ଷା ହେଲେ ଆଜବେଷ୍ଟସରୁ ପାଣି ଗଳୁଥିବା ବେଳେ ଓଦା କାନ୍ଥ କେତେବେଳେ ଭୁଶୁଡିବ ତାହା ଉପରେ ଭରସା ନାହିଁ । ବର୍ଷା ଦିନରେ ତ ଘର ଆଣ୍ଠୁଆ ପାଣିରେ ବୁଡ଼ିଯାଉଛି । ଏଭଳି ଭାବେ ଦୟନୀୟ ସ୍ଥିତିରେ ବସ୍ତିବାସିନ୍ଦା ରହୁଥିବା ବେଳେ ପାଣି ହେଲେ ଘରର ଭଙ୍ଗା କାନ୍ଥ ଉପରେ ଆଶ୍ରୟ ନିଅନ୍ତି । ପିଲାମାନଙ୍କୁ ଧରି ରାତିରେ ଏମାନେ ବେଶ ଦହଗଞ୍ଜ ହୋଇଥାନ୍ତି ।
୨୦୧୭ ମସିହାରେ ଘର ଉଚ୍ଛେଦ ବେଳେ ନୂଆ ଘର ଦେବାର ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର । ଆଉ ଏଥିପାଇଁ ବିଏମସିର ଥିବା ୧ ଲକ୍ଷ ଟଙ୍କାର ନିୟମ ଅନୁସାରେ ସେମାନେ ୨୦,୦୦୦ ଟଙ୍କା ମଧ୍ୟ ଡିପୋଜିଟ ଦେଇଥିଲେ । କିନ୍ତୁ, 2021 ହେଲା ପରେ ବି ଘର ତ ଦେବା ଦୂରର କଥା, ଘର ମଳିବା କଥା ପଚାରିଲେ କରୋନା ପରିସ୍ଥିତିରେ ଏକକାଳୀନ ୧ ଲକ୍ଷ ଦେଲେ ଘର ଦେବେ ବୋଲି କହୁଛନ୍ତି ।
ଅନ୍ୟପଟେ ଓଜନ ମେସିନ, ଖେଳନା ଆଦି ବିକ୍ରି ସହ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି ଏହି ପରିବାର । ତେବେ ସେତକ ବି ମହାମାରୀ କୋରାନା ଛଡେଇ ନେବା ପରେ ଏବେ ଦୁର୍ବିସହ ହୋଇପଡିଛି ଜୀବନ । ପାଣି ଯେତେବେଳେ ହେଉଛି ଦୁଇ ତିନି ଦିନ ଯାଏଁ ଲାଗି ରହୁଛି । ଏଭଳି ପରିସ୍ଥିତିରେ ପାଇସା ଆଣିବୁ କେଉଁଠୁ, ଆମେ ଦୃଷ୍ଟିହୀନ ବୋଲି କ’ଣ ମଣିଷ ନୁହଁ ? କାହିଁକି ଆମ ପ୍ରତି ଏତେ ଅବିଚାର । ତେଣୁ, ଆମେ ଅନୁରୋଧ କରୁଛୁ ସରକାରଙ୍କୁ ଆମକୁ ଘର ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।