ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳର ୪ଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା , ଅର୍ଥାତ୍ ୨୩ ଅକ୍ଟୋବର ଶୁକ୍ରବାର ସକାଳ ୮.୩୦ ମଧ୍ୟରେ ଉପକୂଳରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରେଡ଼ ଆଲର୍ଟ ଜାରି କରାଯାଇଛି ।
ଏହା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ, କଚ୍ଚା ଘର ଭାଙ୍ଗିପାରେ ଏବଂ ଟ୍ରାଫିକ ସମସ୍ୟା ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି ।
ସେହିପରି ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୪୫ କିମି ବେଗରେ ପବନ ବହିବ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୮୦ କିମି ଦୂରରେ ସକ୍ରିୟ ରହିଛି ।