ଭୁବନେଶ୍ବର: ରାଜ୍ୟର ସଫଳ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଲେ 39 କ୍ରୀଡାବିତ । ବିଭିନ୍ନ କ୍ରୀଡା କ୍ଷେତ୍ରରେ ରାଜ୍ୟ ଲାଗି ଗୌରବ ଆଣିଥିବା ଏହି ଖେଳାଳିଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ମିଳିଛି । ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା କ୍ରୀଡ଼ାବୀତ ଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି । ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଖେଳାଳିଙ୍କୁ ମିଳିଥିଲା ପୋଲିସ ଚାକିରି ।
ଏହି ଲିଷ୍ଟ ମଧ୍ୟରେ ଫୁଟବଲ ଖେଳରେ ପାରଦର୍ଶିତା ଯୋଗୁଁ ଦୁଇ ବସ୍ତି ବାଳିକାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଇଛି । ସାଲିଆ ସାହିର ଦୁଇ ଝିଅ ରୁନି ନାୟକ ଓ ଝରଣା ମଲ୍ଲିକଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଛି। ଦୁଇ ଝିଅଙ୍କ ବାପା ଦିନ ମଜୁରିଆ ଗରିବ ଶ୍ରେଣୀର ହୋଇଥିବାରୁ ପାଠ ପଢିବାରେ ସେମାନଙ୍କୁ ବହୁତ ଅସୁବିଧା ହେଉଥିଲା । ସେମାନେ ସରକାରୀ ସ୍କୁଲରେ ପାଠ ପଢିବା ସହ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଖର୍ଚ୍ଚ ସେହ୍ନ ସଂସ୍ଥା ପରିବହନ କରୁଥିଲା । ଦୁଇ ଝିଅଙ୍କ ଫୁଟବଲ ପ୍ରତି ଆଗ୍ରହ ଦେଖି ସେହ୍ନ ସଂସ୍ଥା ତରଫରୁ ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ତାଲିମ ଦିଆଯାଉଥିଲା । ବର୍ତ୍ତମାନ ଓଡ଼ିଶା ସରକାର ଏହି ଦୁଇ ଝିଅଙ୍କୁ କନେଷ୍ଟବଳ ପଦବୀରେ ନିଯୁକ୍ତି ଦେଇଛନ୍ତି ।
ଶନିବାର ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ନିଯୁକ୍ତି ଦେଇଛନ୍ତି । ଖେଳ ଭିତ୍ତିଭୂମି ଓ ଖେଳାଳିଙ୍କ ବିକାଶ ପାଇଁ ରାଜ୍ୟ ସରକାର ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖୁବଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଏବେ ପରିବାରର ଦାୟିତ୍ବ ନେଇପାରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରୀଡାବିତମାନଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବ । ଭବିଷ୍ୟତ ଲାଗି କ୍ରୀଡାବିତଙ୍କୁ ପ୍ରସ୍ତୁତ କରିବାରେ ରାଜ୍ୟ ସରକାର କୌଣସି ପ୍ରକାର ଉଣା କରିବେନାହିଁ । ସେମାନେ ଆଗାମୀ ବର୍ଷରେ ରାଜ୍ୟ ତଥା ଦେଶକୁ ଗର୍ବିତ କରିବାକୁ ପ୍ରୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ପରିବାର ମଧ୍ୟ ଏହାକୁ ନେଇ ଗର୍ବିତ ଅନୁଭବ କରିବ । ଏହାସହ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ୨୦୧୮ ବିଶ୍ବକପ ହକି, ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ୨୦୨୩ରେ ପୁଣି ଥରେ ବିଶ୍ବକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାମ ଚାଲିଛି ।