ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ବୁଧବାର ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛି । ଏହା ଏକ ଭଲ ପଦକ୍ଷେପ । ବିଜେପି ଏହାକୁ ସ୍ବାଗତ କରିଛି । କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି ବୋଲି ବିଜେପି ଅଭିଯୋଗ କରିଛି ।
ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କଟାକ୍ଷ କରିଛନ୍ତି । ଗୋଲକ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ? ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର । ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଉଛନ୍ତି, ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ପଞ୍ଚାୟତରେ କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ଗୋଲକ ଦାବି କରିଛନ୍ତି ।
କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଞ୍ଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି । ଗୋଟିଏ ପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧୀ ଯୋଜନାର ପ୍ରତ୍ୟେକ କିସ୍ତିରେ ହିତାଧିକାରୀ ତାଲିକାରୁ ଓଡିଆ ଚାଷୀଙ୍କ ନାଁକୁ କାଟୁଛନ୍ତି । ଯଦି କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ବଢୁଛି । ତେବେ ପିଏମ କିଷାନ ସମ୍ମାନ ନିଧୀ ଯୋଜନାରେ ଚାଷୀଙ୍କ ନାଁ ଯୋଡୁ ନାହାଁନ୍ତି କାହିଁକି ବୋଲି ଗୋଲକ ପ୍ରଶ୍ନ କରିଛନ୍ତି ।