ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶର ମୋଟ 22 ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଭାରତୀୟ ବାଳ କଲ୍ୟାଣ ପରିଷଦ(ଆଇସିସିଡବ୍ଲୁ) ଦ୍ବାରା ରାଷ୍ଟ୍ରପତି ଭବନରେ ଏହି ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସାହସିକତା ପୁରସ୍କାର 2019 ପ୍ରଦାନ କରାଯିବ । ଯେଉଁଥିରେ ସ୍ଥାନ ପାଇଛନ୍ତି ଓଡିଶାର 3 ଛାତ୍ରୀ ।
କେନ୍ଦ୍ରାପଡାରେ ଡଙ୍ଗାବୁଡି ସମୟରେ ଜୀବନ ସହ ଖେଳି 12 ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଜିଲ୍ଲାର ପୂର୍ଣ୍ଣିମା ଗିରି(16) ଓ ସବିତା ଗିରି(15)ଙ୍କୁ ଆଇସିସିଡବ୍ଲୁ ଧ୍ରୁବ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଟ୍ରେନ ଦୁର୍ଘଟଣାରୁ ସାଥୀଙ୍କୁ ବଞ୍ଚାଇ ଆଇସିସିଡବ୍ଲୁ ପ୍ରହଲାଦ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି ଶ୍ରୀମତି ଭଦ୍ରା(10) । ବିପଦ ଆଗରେ ଡରି ନଯାଇ ବା ନଇଁ ନଯାଇ ଅତି ସାହସର ସହ ପରିସ୍ଥିତିକୁ ମୁକାବିଲା କରିଥିଲେ ଏହି 3 ସାହସୀ ଓଡିଆ ଝିଅ । ଯେଉଁଥିପାଇଁ ଜାତୀୟ ସାହସିକତା ପୁରସ୍କାର 2019 ପାଇଁ ଏମାନଙ୍କ ନାମ ଘୋଷଣା ହେବା ପରେ ଏମାନଙ୍କ ପରିବାରକୁ ଛୁଟିଛି ଶୁଭେଚ୍ଛାର ସୁଅ ।