ଭୁବନେଶ୍ବର: ଶୁକ୍ରବାର ବାଚସ୍ପତି ଦେଇଥିବା ରୁଲିଂକୁ ନେଇ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ଶନିବାର ମଧ୍ୟ ଚାଲିପାରିଲା ନାହିଁ ପ୍ରଶ୍ନକାଳ ଓ ଶୂନ୍ୟକାଳ । ଅପରାହ୍ଣରେ ମଧ୍ୟ ସେହି ସମାନ ତାତି । ଶନିବାର ଗୁରୁତ୍ବପୂର୍ଣ 6 ଗୋଟି ବିଭାଗର ଆଲୋଚନା ହେବାକୁ ଥିବା ବେଳେ କୌଣସି ଆଲୋଚନା ହୋଇ ପାରିନାହିଁ । 5 ଥର ଗୃହ ମୁଲତବୀ କରିବା ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।
ବିରୋଧୀ ଦାବି କରିଛନ୍ତି ବାଚସ୍ପତି ତାଙ୍କ ରୁଲିଂର ପୁନର୍ବିଚାର କରନ୍ତୁ । ଶୁକ୍ରବାର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ଅଫିସର ଗ୍ୟାଲେରୀ ଖାଲିଥିବାରୁ ଏହାକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ବାଚସ୍ପତି ରୁଲିଂ ଦେଇଥିଲେ ଯେ ଗଣମାଧ୍ୟମ ଏହାକୁ ପ୍ରଚାର ପ୍ରସାର କରିପାରିବେ ନାହିଁ । ତେବେ ଶନିବାର ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଏହାକୁ ନେଇ ଉଭୟ ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି ବାଚସ୍ପତି ତାଙ୍କ ରୁଲିଂର ପୁନର୍ବିଚାର କରନ୍ତୁ ।