ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ'ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର 24ଟି ଜିଲ୍ଲାରେ 1,146 ବିଦ୍ୟାଳୟ ପାଇଁ 15କୋଟି 18ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସେହିପରି ଗତ 1ମାସ ମଧ୍ୟରେ 14 ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ବିଦ୍ୟାଳୟର ବିକାଶ ପାଇଁ 5 କୋଟି 62 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ମୋଟ 15 କୋଟି 18 ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି ।
ବାଲେଶ୍ୱରରେ ସର୍ବାଧିକ 1 କୋଟି 14 ଲକ୍ଷ, ସୋନପୁରରେ 55 ଲକ୍ଷ 98 ହଜାର, କଟକରେ 32 ଲକ୍ଷ 16 ହଜାର, ଯାଜପୁରରେ 30 ଲକ୍ଷ 41 ହଜାର ଏବଂ ମୟୂରଭଞ୍ଜରେ 20 ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଥିବା ଜଣାପଡିଛି । ଏବେ ସୁଦ୍ଧା ମୋଟ 6,16,928 ଜଣ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି । ସେହିଭଳି ବିଭିନ୍ନ CSR ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଅଭିଯାନ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 333.4 କୋଟି ଟଙ୍କାର ଅନୁଦାନ ମିଳିଛି ।
5ଟି ହାଇସ୍କୁଲ ଟ୍ରାନ୍ସଫରମେଶନ୍ କାର୍ଯ୍ୟକ୍ରମ’ର ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରାୟ 2,222 ହାଇସ୍କୁଲକୁ ଏହି ଅର୍ଥ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନ ମିଶାଇ ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଛି ।