ଭୁବନେଶ୍ବର:କୃଷି ଅର୍ଥନୈତିକ ଗବେଷଣା ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଓୟୁଏଟିରେ ପାଳିତ। କୃଷି ଅର୍ଥନୈତିକ ଗବେଷଣା ସଂଘର ବାର୍ଷିକ ସମ୍ମିଳନୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି। ଯାହାର ଶୀର୍ଷକ ରହିଥିଲା "ଭାରତରେ ସରକାରୀ ନୀତି ଏବଂ କୃଷିର ପରିବର୍ତ୍ତନ”।
ବୈଷୟିକ ଅଧିବେଶନରେ, "ଓଡ଼ିଶାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରରେ ପୃଷ୍ଟି ଏବଂ ଜୀବିକା ଏକ ବିଶେଷ ଆଲୋଚନା ଚକ୍ର ଆୟୋଜିତ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଜାତୀୟ ବୃଷ୍ଟିପୁଷ୍ଟ ଅଞ୍ଚଳ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଶୋକ କୁମାର ଦଳାଇ ଯୋଗ ଦେଇ ସ୍ଥାନକରଣରେ କୃଷି ଉପରେ ଅଭିଭାଷଣ ଦେଇଥିଲେ । ଉତ୍ପାଦନ ଏବଂ ଆୟରେ ଥିବା ତାରତମ୍ୟ ଦୂର କରିବା ପାଇଁ ଉତ୍ପାଦନ ଶୈଳୀର ପରିବର୍ତ୍ତନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ଆଲୋଚନା ମାଧ୍ୟମରେ ଡକ୍ଟର ଦଳାଇ, ରାଜ୍ୟରେ ମାଧ୍ୟମିକ କୃଷି (Secondary Agriculture) ପାଇଁ ଏକ ଭିନ୍ନ ନିର୍ଦ୍ଦେଶାଳୟ ସୃଷ୍ଟି କରିବା ପାଇଁ ମତ ଦେଇଥିଲେ।
ରାଜ୍ୟରେ କୃଷିର ବିକାଶରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରିଥିଲେ। ଗ୍ରାମ୍ୟସ୍ତରରେ ପ୍ରାଥମିକ ପ୍ରକ୍ରିୟାକରଣ ବ୍ୟବସ୍ଥା ସୃଷ୍ଟି, ସାସ୍ଥ୍ୟକର ପୃଷ୍ଟି ଯୁକ୍ତ ଖାଦ୍ୟ ମାଧ୍ୟମରେ ଖାଉଟିମାନଙ୍କର ଖାଦ୍ୟାଭ୍ୟାସର ପରିବର୍ତ୍ତନ ପାଇଁ ସରକାର ଗୁରୁତ୍ବ ଆରୋପ କରିବା ପାଇଁ ସେ ମତ ଦେଇଥିଲେ । ଏହାସହିତ କୃଷି ଗବେଷଣା ଏବଂ ଜ୍ଞାନକୌଶଳ ଉଦ୍ଭବ ପ୍ରଣାଳୀକୁ ଅଧିକ ମଜଭୁତ କରିବା ପାଇଁ ଅଧିକ ଅର୍ଥ ସହଯୋଗ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ଓଡ଼ିଶାରେ କୃଷିର ଉନ୍ନତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବା ପାଇଁ ନାବାର୍ଡ଼, କୃଷି ଅର୍ଥନୈତିକ ଗବେଷଣା ସଂଘ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏକ ମିଳିତ ଉଦ୍ୟମ କରିବା ପାଇଁ ସେ ମତ ରଖିଥିଲେ ।