ଭୁବନେଶ୍ବର: ଅସୁରକ୍ଷିତ ରାଜଧାନୀ । ଗତ 48 ଘଣ୍ଟା ଭିତରେ 4ଟି ବଡ ଲୁଟପାଟ ଘଟଣା ଘଟିଥିବା ବେଳେ ନୟାପଲ୍ଲୀ ଥାନା ଅଧିନରୁ ବଡ ଆକାରରେ ସୁନା ଜବତ ହେବା ସହ ଜଣେ ଅଭିଯୁକ୍ତ ଧରାପଡିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ରାଜଧାନୀରେ ସିରିଜ ଲୁଟ ପରେ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଦିନ ରାତିକୁ ଏକ୍ କରି ସୁରକ୍ଷା ଦେବାରେ ଲାଗିପଡିଛନ୍ତି ପୋଲିସ ଅଧିକାରୀ । ହେଲେ ନୟାପଲ୍ଲୀର ଭିଆଇପି ଅଞ୍ଚଳରେ ଜଣେ ଲୋକ ସମ୍ପର୍କୀୟ ପରିଚୟ ଦେଇ ଜଣଙ୍କ ଘରେ 3 ଦିନ ହେବ ରହି ଆସୁଥିଲା । ହେଲେ ବିଶ୍ୱାସରେ ବିଷ ମିଶାଇ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ ।ପରେଶ ବେହେରା ନାମକ ଏକ ଯୁବକ ନୟାପଲ୍ଲୀ ଭିଆଇପି କଲୋନୀରେ ଜଣଙ୍କ ଘରେ ରହୁଥିଲେ । ଭୁବନେଶ୍ୱରରେ ରହି ଓଲା ଡ୍ରାଇଭର ଭାବେ କାମ କରୁଥିଲା ପରେଶ । ଘର ମାଲିକ ସହ ବିଶ୍ୱାସ ଜନ୍ମାଇ ଏହାର ସୁଯୋଗ ନେଇ ଘରର ନକଲି ଚାବି କରିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ପରେଶ 18 ଭରି ସୁନା ଗହଣା ଚୋରି କରିନେଇ ଫେରାର ହୋଇଯାଇଥିଲା । ତେବେ ନୟାପଲ୍ଲୀ ଅଞ୍ଚଳରୁ ବୁଧବାର ରାତିରେ ପରେଶକୁ ଗିରଫ କରିଛି ପୋଲିସ । ପରେଶ ଠାରୁ 18 ଗ୍ରାମ ସୁନା ଓ ଏକ ଲାପଟପ ଜବତ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।
ଭୁବନେଶ୍ବରରୁ ବିକାଶ ଦାସ ଓ ତାପସ ପରିଡା, ଇଟିଭି ଭାରତ