ଭୁବନେଶ୍ବର: ଜିଲ୍ଲା ଯୋଜନା ବୋର୍ଡର ପୁର୍ନଗଠନ କରାଯାଇଛି । 17 ମନ୍ତ୍ରୀଙ୍କ ସହ 13 ଜଣ ବିଧାୟକଙ୍କୁ ବି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ବ ମିଳିଛି । ତେବେ କୃଷିମନ୍ତ୍ରୀ ଅରୁଣ ସାହୁ, ଦକ୍ଷତା ବିକାଶ ମନ୍ତ୍ରୀ ପେମାନନ୍ଦ ନାୟକ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କୌଣସି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ବ ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।
ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୟୁରଭଞ୍ଜ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଯାଜପୁର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କେନ୍ଦ୍ରାପଡା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସୋନପୁର, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ରାୟଗଡା, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବଲାଙ୍ଗୀର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସମ୍ବଲପୁର, ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ପୂର୍ତ୍ତ ଓ ଇସ୍ତାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେବଗଡ ଓ କେନ୍ଦୁଝର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।