ଭୁବନେଶ୍ବର: ମୋ ସ୍କୁଲ୍ ଅଭିଯାନର ୩୦ତମ କାର୍ଯ୍ୟନିବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍ରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି କ୍ରମରେ ବାଲେଶ୍ୱରରେ ସର୍ବାଧିକ ୧ କୋଟି ୯୦ ଲକ୍ଷ, ବଲାଙ୍ଗୀରରେ ୨୩ ଲକ୍ଷ ୨୦ ହଜାର, କଟକରେ ୧୯ ଲକ୍ଷ ୨୬ ହଜାର, ଢେଙ୍କାନାଳରେ ୧୬ ଲକ୍ଷ ୫୬ ହଜାର ଏବଂ ଯାଜପୁରରେ ୧୪ ଲକ୍ଷ ୩୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି ।
ସେହିଭଳି ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛନ୍ତି । ଗତ ୧ ମାସ ମଧ୍ୟରେ ୯ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକର ବିକାଶ ପାଇଁ 'ମୋ ସ୍କୁଲ୍ ଅଭିଯାନ’କୁ ୧ କୋଟି ୬୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଛି ।