ଭୁବନେଶ୍ବର: ବଦଳୁଛି ରାଜ୍ୟରେ ଥିବା ଅନେକ ସ୍କୁଲର ରୂପରେଖ । ବିଦ୍ୟାଳୟରେ ଗଢା ହୁଅନ୍ତି ଦେଶର ଭବିଷ୍ୟତ । ପ୍ରତି ପିଲା ଭିତରେ ବିପୁଳ ପ୍ରତିଭା ଓ ସମ୍ଭାବନା ରହିଛି । ଆଉ ସେହି ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି । ଆଜି(ଗୁରୁବାର) ୫ ଜିଲ୍ଲାରେ ୧୫୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ପିଲାମାନଙ୍କୁ ଉନ୍ନତ ଜ୍ଞାନକୌଶଳରେ ପାଠପଢା ପାଇଁ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ କାନ୍ଥବାଡରେ ଚମକୁଛି ଭଳିକି ଭଳି ଚିତ୍ର । ପାଠ ପଢିବା ପ୍ରତି ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସ୍କୁଲଗୁଡିକ ଏକ ନୂଆ ରୂପ ଦେଉଛନ୍ତି ରାଜ୍ୟ ସରକାର ।