ଭୁବନେଶ୍ବର:ଶିଶୁ ଦିବସରେ ୧୩୮ଟି ସ୍କୁଲ 5T ଅଧିନରେ ରୂପାନ୍ତରିତ ହୋଇଛି । ଏହି ସବୁ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । 5T ଅଧିନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ କେବଳ କେନ୍ଦୁଝରରେ ୧୦୦ଟି ସ୍କୁଲ୍ ରୂପାନ୍ତରିତ ହୋଇଛି । ଏହାସହ ବୌଦ୍ଧ, ସୋନପୁର, ଭଦ୍ରକରେ ମଧ୍ୟ ରୂପାନ୍ତରିତ ସ୍କୁଲ୍କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଠିକ୍ ସମୟରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସଭିଁଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । କେନ୍ଦୁଝର ସହ ବୌଦ୍ଧର ୧୦, ସୋନପୁରର ୧୧, ଭଦ୍ରକ ୧୭ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଶିକ୍ଷା ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତରଣ ପିଲାମାନଙ୍କ ମନରେ ଅଶେଷ ପ୍ରେରଣା ଓ ଉତ୍ସାହ ଭରି ଦେଇଛି । "
ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ପୁରଣ ପାଇଁ ରାଜ୍ୟ ସରକାର ପକ୍ଷରୁ ୧୫ ପ୍ରତିଶତ ଆସନ ସଂରକ୍ଷିତ ରହିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସବୁ ରୂପାନ୍ତରିତ ସ୍କୁଲ୍କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନଭେମ୍ବର ୨୪ ତାରିଖ ସୁଦ୍ଧା ରାଜ୍ୟରେ ସମସ୍ତ ୧୦୭୫ ରୂପାନ୍ତରିତ ସ୍କୁଲ୍ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜ ମନ କଥା କହିଥିଲେ। ଏଥିରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ