ଭୁବନେଶ୍ବର: କୋଭିଡ ପରିଚାଳନାକୁ କେନ୍ଦ୍ର କରି ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବେ 13ଟି ରାଜନୈତିକ ଦଳ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏମାନେ ଏକାଠି ହେବେ । କୋରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିନ 10ଟାରେ ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରିବାର ଯୋଜନା ରହିଛି । ଏତଦ୍ବ୍ୟତୀତ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂର ଦୃଷ୍ଟିହୀନତା ଯୋଗୁଁ ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ସରକାର କୋରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ ଟେଷ୍ଟିଂକୁ ଗୁରୁତ୍ବ ନଦେଇ ଲକଡାଉନ ତଥା ସଟଡାଉନକୁ ଗୁରୁତ୍ବ ଦେଇଥିଲେ । ସେହିପରି ଦେଶରେ କୋଭିଡ ଟେଷ୍ଟିଂ ହାର ଯଥେଷ୍ଟ କମ ଥିବାବେଳେ ପ୍ରତି 1000 ଲୋକରେ ମାତ୍ର ୩.୮ ଜଣଙ୍କ କୋଭିଡ ଟେଷ୍ଟିଂ କରାଯାଉଛି । ଯାହାର ଫଳସ୍ବରୂପ ବ୍ୟାପକ ସଂକ୍ରମଣ ଦେଖାଦେଇଛି ଏବଂ ପୃଥିବୀରେ କୋଭିଡ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି ।
ମୋଦି ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକଡାଉନ ଘୋଷଣା କରିଥିଲେ । ଯାହାର ପରିଣାମ ସ୍ବରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ । ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ଯ୍ୟାତନାର ଶିକାର ହୋଇଥିଲେ । ହଜାର ହଜାର କିଲୋମିଟର ଭୋକ ଉପାସରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟ୍ରେନ୍, ବସ ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିବାକୁ ବାଧ୍ୟ ହୋଇଥିଲେ । ଏଥିପାଇଁ କେବଳ ମୋଦି ସରକାରଙ୍କ ଅକ୍ଷମଣୀୟ ଦୂରଦୃଷ୍ଟିହୀନତାକୁ ଦାୟୀ କରିଛନ୍ତି ବିରୋଧୀ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କୋରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । କୋଭିଡ କବଳରୁ ଜୀବନକୁ ରକ୍ଷା କରିବାର ଆହ୍ବାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ଏ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକୀୟ ଆନ୍ତରିକତା ଦେଖାଉନାହାନ୍ତି ।